ଭାରତକୁ ଆସୁଥିବା ବିଦେଶୀଙ୍କ ପାଇଁ କୋଭିଡ୍ ଟୀକାକରଣ ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : କୋଭିଡ ସ୍ଥିତିରେ ଉନ୍ନତି ଆସିବା ପରେ ସରକାର ପୂର୍ବରୁ ଲାଗୁ କେତେକ କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି । ଭାରତରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଦାଖଲ କରିବାକୁ ପଡ଼ୁଥିବା ଏୟାର ସୁଭିଧା ଫର୍ମକୁ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ଘୋଷଣା କରିଛି ଯେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ-୧୯ ଟିକା ନେବା ବାଧ୍ୟତାମୂଳକ ନୁହେଁ ।

ଏକ ନିର୍ଦ୍ଦେଶ ଜାରି କରି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ “କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ଏବଂ ସମୟ ସମୟରେ ଏଥିରେ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନର ନିର୍ଦ୍ଦେଶାବଳୀକୁ ନିରନ୍ତର ହ୍ରାସ ପାଉଥିବା କୋଭିଡ-୧୯ ଟ୍ରାଜେକ୍ଟୋରୀ ଏବଂ ଉଭୟ ବିଶ୍ୱ ତଥା ଭାରତରେ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିକୁ ଦୃଷ୍ଟିରେ ରଖି ସଂଶୋଧନ କରାଯାଉଛି।”

କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏୟାର ସୁଭିଧା ଫର୍ମକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା । ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ କୋଭିଡ-୧୯ ଟିକାକରଣ ସମ୍ବନ୍ଧୀୟ ସମସ୍ତ ବିବରଣୀ ଘୋଷଣା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ସ୍ତରରେ ମହାମାରୀର ପ୍ରକୋପ ହ୍ରାସ ପାଇଥିବାରୁ ଓ ପ୍ରାୟ ସମସ୍ତେ ଟିକା ନେଇସାରିଥିବାରୁ ଏହି ଆବଶ୍ୟକତାକୁ ପ୍ରତ୍ୟାହାର କରିନିଆଯାଇଛି ।

ସମ୍ବନ୍ଧିତ ଖବର