ନୂଆଦିଲ୍ଲୀ: ଭାରତ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରକୁ ଜୀବନରକ୍ଷାକାରୀ ଔଷଧ ବିପୁଳ ପରିମାଣରେ ଉପହାର ରୂପେ ପଠାଇବା ଆରମ୍ଭ କରିଛି, ଯାହାକି କରୋନା ବିଶ୍ୱମହାମାରୀ ବିରୋଧୀ ଲଢ଼େଇରେ ଉପଯୋଗ ହେବ। ଏହି କ୍ରମରେ ଭୁଟାନ୍, ବାଙ୍ଗଲାଦେଶ, ଆଫଗାନିସ୍ତାନ, ନେପାଳ, ମ୍ୟାଁମାର, ସିଚେଲ୍ସ, ମରିସସ୍ ଓ କେତେକ ଆଫ୍ରିକୀୟ ଦେଶ ରହିଛି। ଏହା ପୂର୍ବରୁ ୧୦ ଟନ୍ ଔଷଧ ନେଇ ଏକ ଏୟାର ଇଣ୍ଡିଆ ବିମାନ ପ୍ରଥମେ ଶ୍ରୀଲଙ୍କାକୁ ଉଡାଣ କରିସାରିଛି। ଯେତେବେଳେ ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ ସରକାର ବିଭିନ୍ନ ପଡୋଶୀ ରାଷ୍ଟ୍ରକୁ ପଠାଉଛି, ସେତେବେଳେ ସରକାର ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍-୧୯ ଔଷଧକୁ ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍, ବ୍ରାଜିଲ, ବାହାରିନ୍, ଜର୍ମାନୀ ଓ ବ୍ରିଟେନ୍ ଆଦି ରାଷ୍ଟ୍ରକୁ ବାଣିଜ୍ୟିକ ଚୁକ୍ତି ବଳରେ ବିଭିନ୍ନ ଭାରତୀୟ ଫାର୍ମାସି କମ୍ପାନି ଜରିଆରେ ରପ୍ତାନୀ କରାଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟକୁ ସେହି ଅନୁସାରେ ଅନୁଦେଶ ଜାରି ହୋଇଛି।
ଏହା ସମ୍ଭବ ହେବା ପରେ ହିଁ ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତର ଜନତାଙ୍କୁ 'ଧନ୍ୟବାଦ' ଦେଇଛନ୍ତି। ଉପସାଗରୀୟ ଦେଶଗୁଡ଼ିକର ଔଷଧ ଆବଶ୍ୟକତା ଉପରେ ମଧ୍ୟ ଭାରତ ନଜର ରଖିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଏହା ସହ ଏସୀୟ-ପ୍ରଶାନ୍ତମହାସାଗରୀୟ ରାଷ୍ଟ୍ର ଯଥା: ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ସ୍ପେନ୍ ଓ ଇଟାଲୀ ଭଳି କରୋନା ସଂକ୍ରମଣରେ ବ୍ୟାପକ କ୍ଷତିଗ୍ରସ୍ତ ରାଷ୍ଟ୍ର ସହ ନିରନ୍ତର ସଂପର୍କ ବଜାୟ ରଖିଛି। ଏହି ଜୀବନରକ୍ଷାକାରୀ ଔଷଧ ବ୍ୟାପାରରେ ରୁଷିଆ ସହ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା କଥା ହେବେ। ସୂଚନାଯୋଗ୍ୟ ଯେ ଭାରତ ବିଭିନ୍ନ ମେଡିକାଲ ସରଂଜାମ ବେଜିଂରୁ ପ୍ରାଇଭେଟ୍ ସପ୍ଲାୟରମାନଙ୍କ ଜରିଆରେ ମଗାଉଛି। କାରଣ ଏସବୁ ସାମଗ୍ରୀର ଚୀନ୍ ଏକମାତ୍ର ବଳକା ରାଷ୍ଟ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/fgsf8g7sf89g7s98f7g98sfg798sg98sgsdgsdgsgsg.jpg)