ସିପିଇସିକୁ କ୍ଷତି ପହଞ୍ଚାଉନି ଭାରତ

 ପାକ୍‌ ଜେନେରାଲଙ୍କ ଅଭିଯୋଗ ଭିତ୍ତିହୀନ:ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌-ପାକିସ୍ତାନ ଇକୋନୋମିକ କରିଡର(ସିପିଇସି) ପ୍ରସଙ୍ଗରେ ପାକିସ୍ତାନ ଜେନେରାଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଚୀନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଲୁ କାଂ। ଏନେଇ ଚୀନ୍‌ ପାଖରେ କୌଣସି ପ୍ରମାଣ ନଥିବାରୁ ଏଭଳି ଅଭିଯୋଗକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଲୁ କାଂ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ସିପିଇସିକୁ କ୍ଷତି ପହଞ୍ଚାଇବା ପାଇଁ ଭାରତ ଉଦ୍ୟମ ଜାରି ରଖିଛି ଓ ଏଥିପାଇଁ ଭାରତର ଗୁଇନ୍ଦା ସଂସ୍ଥା ର’ ୫ କୋଟି ଡଲାର ଖର୍ଚ୍ଚ କରି ସ୍ୱତନ୍ତ୍ର ସେଲ ତିଆରି କରୁଛି ବୋଲି ପାକିସ୍ତାନର ଯୁଗ୍ମ ଚିଫ୍‌ ଅଫ୍‌ ଷ୍ଟାଫ୍‌ସ ଅଧ୍ୟକ୍ଷ ଜେନେରାଲ ଜୁବେର ମହମ୍ମୁଦ ହାୟାତି ଅଭିଯୋଗ ଆଣିଥିଲେ।

ଅପରପକ୍ଷେ, ଚୀନ୍‌ର ସିନ୍‌ଜିଆଂ ପ୍ରଦେଶରୁ ବାହାରି ବାଲୁଚିସ୍ଥାନର ଗ୍ଵାଦର ବନ୍ଦର ଯାଏ ହେବାକୁ ଥିବା ଏହି ସିପିଇସି ଏକ ଆନ୍ତର୍ଜାତିକ ପ୍ରକଳ୍ପ । ଏହା ହେବା ଦ୍ୱାରା ବିଶ୍ୱର ଅନେକ ଅଞ୍ଚଳକୁ ଯୋଗାଯୋଗ ସମ୍ଭବ ହେବ। ତେଣୁ ସମସ୍ତ ଦେଶ ଏହାକୁ ସମର୍ଥନ କରିବେ ବୋଲି ଲୁ କାଙ୍ଗ୍‌ ଯୁକ୍ତି ବାଢ଼ିଛନ୍ତି। ଗୋଟିଏ ପଟେ ସୀମା ବିବାଦକୁ ନେଇ ଚୀନ୍‌ ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏପରିିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅରୁଣାଚଳ ଗସ୍ତକୁ ନେଇ ମଧ୍ୟ ଚୀନ୍‌ କ୍ଷୋଭ ପ୍ରକାଶ କରିଛି। ତେବେ ପାକିସ୍ତାନର ଏଭଳି ଭାରତ ବିରୋଧୀ ଆଭିମୁଖ୍ୟକୁ ଚୀନ୍‌ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୂଟନିତୀଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏଣେ ସିପିିଇସିର ଅଧିକ ଅଞ୍ଚଳ ବାଲୁଚିସ୍ତାନ ଦେଇ ଯାଉଥିବା ବେଳେ ଏହି କାମକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ସେହିପରି ପାକିସ୍ତାନ ଅଧୀନରେ ଥିବା ଏହି ପ୍ରଦେଶ ସ୍ୱାଧୀନତା ମଧ୍ୟ ଦାବି କରୁଛି। ତେଣୁ ଏଥିପାଇଁ ବାଲୁଚିସ୍ତାନକୁ ଭାରତ ଉସୁକାଉଛି ବୋଲି ପାକିସ୍ତାନ ଏଭଳି ଆରୋପ ଆଣିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର