ମିଳିତ ମୁକାବିଲା ପାଇଁ ସାର୍କ ପ୍ରସ୍ତୁତ, ଜରୁରୀ ପାଣ୍ଠି ପାଇଁ ୧ କୋଟି ଡଲାର ଦେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଦକ୍ଷିଣ ଏସିଆ ଆଂଚଳିକ ସହଯୋଗ ସଂଗଠନ (ସାର୍କ) ରାଷ୍ଟ୍ର ନେତାଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ-୧୯ର ମୁକାବିଲା ପାଇଁ ଏକ ଜରୁରୀ ପାଣ୍ଠି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତ ପକ୍ଷରୁ ଏହି ପାଣ୍ଠିକୁ ୧ କୋଟି ଡଲାର ଦେବାପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ କରୋନା ମୁକାବିଲା ପାଇଁ ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସାର୍କ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ମିଳିତ ଭାବେ କରୋନା ମହାମାରୀର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଶ୍ବ ଜନସଂଖ୍ୟାର ୨୦ ପ୍ରତିଶତ ସାର୍କ ରାଷ୍ଟ୍ରରେ ରହୁଥିବାରୁ ଏଠାରେ ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ମିଳିତ ପ୍ରୟାସ ଜରୁରୀ। ସମସ୍ତ ରାଷ୍ଟ୍ର ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଏ ପର୍ଯ୍ୟନ୍ତ ସାର୍କ ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫୦ ରହିଛି। ଭାରତ ସରକାର ଟେଲିଭିଜନ, ଖବରକାଗଜ ଏବଂ ସୋସିଆଲ ମିଡିଆରେ କରୋନା ନେଇ ଚଳାଇଥିବା ଜନସଚେତନତା ଅଭିଯାନ ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ବିଭିନ୍ନ ରାଜ୍ୟରେ ଲଗାଯାଇଥିବା କଟକଣା ଏବଂ ଯାଞ୍ଚ ବ୍ୟବସ୍ଥା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସାର୍କ ରାଷ୍ଟ୍ର ନେତାମାନଙ୍କୁ ଅବଗତ କରାଇଥିଲେ । ଏହି ଭିଡିଓ କନ୍‌ଫରେନ୍ସିଂରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ, ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍‌ ଗନି, ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିହ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍‌ ଏବଂ ପାକିସ୍ତାନ ପକ୍ଷରୁ ଏହାର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଜଫର ମିର୍ଜା ସାମିଲ ହୋଇଥିଲେ। ତେବେ କରୋନା ଆଲୋଚନା ବେଳେ ପାକିସ୍ତାନ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲଗାଯାଇଥିବା କଟକଣା ପ୍ରସଙ୍ଗ ଉଠାଇଥିଲା ଏବଂ କରୋନା ମୁକାବିଲା ପାଇଁ ଏଭଳି କଟକଣା ହଟିବା ଆବଶ୍ୟକ ବୋଲି କହିଥିଲା। ବାଂଲାଦେଶ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଭାରତର କରୋନା ମୁକାବିଲା ପ୍ରୟାସକୁ ପ୍ରଶଂସା କରିବା ସହ ଆଗକୁ ସମନ୍ବୟ ରଖି କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର