ପ୍ରଥମ ପର୍ଯ୍ୟାୟରେ ୧୩ ରାଷ୍ଟ୍ରକୁ କ୍ଲୋରକ୍ବିନ୍‌ ଦେବ ଭାରତ

ନୂଆଦିଲ୍ଲୀ: ଭାରତ ୨୫ରୁ ଅଧିକ ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଏବଂ ପାରାସିଟାମଲ୍‌ ଦେବ। ଭାରତ ଏନେଇ ଏକ ତାଲିକା ପ୍ରସ୍ତୁତ କରିଛି। ଭାରତ ମଂଜୁରି ଦେଇଥିବା ପ୍ରଥମ ତାଲିକାରେ ୧୩ଟି ରାଷ୍ଟ୍ର ଅଛି। ଏଥିରେ ପଡ଼ୋଶୀ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି। ଭାରତ ସରକାର ବିଦେଶ ରାଷ୍ଟ୍ରକୁ ୧୪ ନିୟୁତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ୍‌ ଦେବାପାଇଁ ସ୍ବିକୃତୀ ଦେଇଛନ୍ତି। ତେବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଦେବାପାଇଁ ଯେଉଁ ୧୩ଟି ରାଷ୍ଟ୍ରକୁ ଗୁରୁତ୍ବ ଦିଆଯାଇଛି ସେଗୁଡ଼ିକ ହେଉଛି- ଆମେରିକା, ୨ ୟୁରୋପୀୟ ରାଷ୍ଟ୍ର- ସ୍ପେନ୍‌ ଏବଂ ଜର୍ମାନୀ, ୨ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର- ଡୋମିନିକ୍‌ ରିପବ୍ଲିକ୍‌ ଏବଂ ବ୍ରାଜିଲ୍‌, ବାହରିନ୍‌ ଏବଂ ୫ ପଡ଼ୋଶୀ ରାଷ୍ଟ୍ର- ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବୀପ ଏବଂ ବାଂଲାଦେଶ। ଭ‌ାରତ ସରକାରଙ୍କ ନିୟମିତ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏମ୍‌ଇଏର ନୋଡାଲ ଅଧିକାରୀ ଡମ୍ମୁ ରବି କହିଛନ୍ତି, ବୈଶ୍ବିକ ସ୍ତରରେ ଏବେ ଏଚ୍‌ସିକ୍ୟୁର ହାଇ ଡିମାଣ୍ଡ୍‌ ରହିଛି। ବିଦେଶ ରାଷ୍ଟ୍ର ହାଇଡ୍ରୋକ୍ସିକ୍ବୋରକ୍ବିନ୍‌ ପାଇଁ ଅନୁରୋଧ କରିଛନ୍ତି। ତେବେ ଭାରତରେ ଗଚ୍ଛିତ ଥିବା ଅତିରିକ୍ତ ଔଷଧକୁ ବିଦେଶ ରାଷ୍ଟ୍ରକୁ ଦେବାପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଭାରତରେ ଏବେ ଦରକାରଠାରୁ ୩ ଗୁଣା ଔଷଧ ଅଛି। ଏହା ଗୋଟିଏ ମାସର ଆବଶ୍ୟକତାକୁ ପୂରଣ କରିବ। ତେଣୁ ଭାରତ ପ୍ରଥମ ପର୍ଯ୍ୟାୟରେ ୧୩ ରାଷ୍ଟ୍ରକୁ ଔଷଧ ଦେବ। ଏବେ ଦ୍ବିତୀୟ ଏବଂ ତୃତୀୟ ତାଲିକା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି। ଭାରତକୁ ୧ କୋଟି ଏଚ୍‌ସିକ୍ୟୁ ଟାବଲେଟ୍‌ ଆବଶ୍ୟକ ଥିବା ବେଳେ ଏବେ ଭାରତ ନିକଟରେ ୩.୨୮ କୋଟି ଟାବଲେଟ୍‌ ଅଛି। ଏହା ସହିତ ଭାରତ ଖୁବ୍‌ କମ୍‌ ଦିନ ମଧ୍ୟରେ ୧-୨ କୋଟି ଟାବଲେଟ୍‌ ବି ପ୍ରସ୍ତୁତ କରିପାରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ନେପାଳ ପ୍ରଧାନମନ୍ତ୍ରୀ କେବି ଶର୍ମା ଓଲିଙ୍କ ସହ କଥା ହୋଇଥିଲେ। ହାଇଡ୍ରୋକ୍ସିକ୍ଲୋରୋକ୍ବିନର ଚାହିଦା ଏବେ ବିଶ୍ବବ୍ୟାପୀ ବଢ଼ିଯାଇଛି।

ସମ୍ବନ୍ଧିତ ଖବର