ବ୍ୟାଙ୍କକ୍: ପ୍ରସ୍ତାବିତ ବିଶ୍ବର ସର୍ବବୃହତ୍ ମୁକ୍ତ ବାଣିଜ୍ୟ ଅଞ୍ଚଳ ଆରସିଇପିରେ ଭାରତ ଯୋଗଦେବ ନାହିଁ। ଭାରତର ସ୍ବାର୍ଥ ଏହାଦ୍ବାରା ଗଭୀରଭାବେ ପ୍ରଭାବିତ ହେଉଥିବାରୁ ଭାରତ ଏଥିରେ ଯୋଗଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ରାଜିନାମାରେ ଭାରତର ସ୍ବାର୍ଥକୁ ଅଣଦେଖା କରାଯାଇଛି। ତେଣୁ ଭାରତର ମୌଳିକ ସ୍ବାର୍ଥ ସହିତ ସାଲିସ କରି ଭାରତ ଉକ୍ତ ରାଜିନାମାରେ ଦସ୍ତଖତ କରିବ ନାହିଁ ବୋଲି ମୋଦୀ ରୋକଠୋକ ମନା କରିଦେଇଛନ୍ତି। ଏଥିସହିତ ଭାରତ ଉତ୍ଥାପିତ କରିଥିବା ପ୍ରସଙ୍ଗ ଗୁଡ଼ିକୁ ମଧ୍ୟ ଏଥିରେ ସମାଧାନ କରାଯାଇନାହିଁ। ଆରସିଇପି ବା ଆଞ୍ଚଳିକ ସହଯୋଗ ଅର୍ଥନୈତିକ ସହଭାଗିତା ରାଜିନାମା ତାହାର ମୌଳିକ ଲକ୍ଷ୍ୟକୁ ପ୍ରତିଫଳିତ କରୁନାହିଁ। ଏହାର ଫଳାଫଳ ନିରପେକ୍ଷ ଏବଂ ସନ୍ତୁଳିତ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।
୧୬ଟି ଦେଶକୁ ନେଇ ଆରସିଇପି ମୁକ୍ତ ବାଣିଜ୍ୟ ଅଞ୍ଚଳ ସ୍ଥାପନ ହେବାର ଯୋଜନା ରହିଛି। କିନ୍ତୁ ଭାରତ ସରକାର ଏହାର କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ବାର୍ଥ ପ୍ରଭାବିତ ହେବାକୁ ନେଇ ଚିନ୍ତିତ ରହିଛି। ଭାରତ ଏଥିରେ ଯୋଗଦେଲେ ଚୀନ୍ ଭଳି ଦେଶରୁ ବିପୁଳ ପରିମାଣର ସାମଗ୍ରୀ ଭାରତରେ ଶସ୍ତାରେ ଗଦାହେବ। ଆସିଆନ ଦେଶର ନେତୃବୃନ୍ଦଙ୍କ ସହିତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ଭାରତର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସବୁ ସଦସ୍ୟ ଦେଶକୁ ଅର୍ଥପୂର୍ଣ୍ଣ ଭାବେ ବଜାର ସୁବିଧା ଯୋଗାଇ ଦେବା ଉପରେ ମୋଦୀ ଗୁରୁତ୍ବାରୋପ କରିଥିବା କୁହାଯାଉଛି। ଆମଦାନିରେ ବିପୁଳ ବୃଦ୍ଧି, ମୂଳ ଆଇନକୁ ଭବିଷ୍ୟତରେ ବଦଳାଇ ଦିଆଯିବାର ଆଶଙ୍କା, ବଜାର ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ଆଦି ପ୍ରସଙ୍ଗରେ ଭାରତକୁ ସେଭଳି କୌଣସି ଠୋସ୍ ପ୍ରତିଶ୍ରୁତି ନମିଳିବାରୁ ଭାରତ ଏଥିରେ ଯୋଗଦେବାକୁ ଉଚିତ ମନେ କରିନାହିଁ। ୧୬ଟି ଦେଶକୁ ନେଇ ଏହି ମୁକ୍ତ ବାଣିଜ୍ୟ ଅଞ୍ଚଳ ଗଠନ ନେଇ ଆଲୋଚନା ଚାଲିଛି। ୨୦୧୨ ମସିହାରେ କାମ୍ବୋଡ଼ିଆଠାରେ ଅନୁଷ୍ଠିତ ଆସିଆନ ସମ୍ମିଳନୀରେ ପ୍ରଥମେ ଆରସିଇପି ଗଠନ ପ୍ରସ୍ତାବ ଆସିଥିଲା। ଭାରତ ବ୍ୟତୀତ ଆରସିଇପି ରାଜିନାମା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Prime-Minister-Narendra-Modi-looks-on-at-the-ASEAN-India-Summit-on-the-sideline-of-the-35th-ASEAN-Summit-in-Bangkok-Thailand.jpg)