ନୂଆଦିଲ୍ଲୀ : ଭାରତର ଏକ ଚାଳକବିହୀନ ବିମାନ(ଡ୍ରୋନ୍) ନିୟମିତ ପ୍ରଶିକ୍ଷଣରେ ନିୟୋଜିତ ଥିବା ବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରୋନ୍ଟି ସୀମା ଅତିକ୍ରମ କରି ଚୀନ୍ ଆକାଶରେ ଉଡ଼ୁଥିବାରୁ ଏହାକୁ ଚୀନ୍ ଖସାଇ ଦେଇଥିବା କୁହାଯାଉଛି। ଯାନଟିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ସହ ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ସମ୍ପର୍କ ସମ୍ଭବ ହୋଇନଥିଲା ଏବଂ ତାହା ନିଖୋଜ ହୋଇଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି। ଏପରିକି ଭାରତୀୟ ସୀମା ସୁରକ୍ଷା ବଳ ତରଫରୁ ବିମାନର ନିଖୋଜ ସମ୍ପର୍କରେ ଚୀନ୍ ପ୍ରତିପକ୍ଷଙ୍କୁ ତୁରନ୍ତ ଜଣାଇଦିଆଯାଇଥିଲା ବୋଲି ମଧ୍ୟ ଭାରତ ସ୍ପଷ୍ଟ କରିଛି।
ସୂଚନାନୁଯାୟୀ, ଉକ୍ତ ଡ୍ରୋନ୍ଟି ନିୟମିତ ଅଭ୍ୟାସ କ୍ରମରେ ସିକିମ୍ ସେକ୍ଟରରେ ଉଡୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏହା କୁଆଡ଼େ ନିଖୋଜ ହୋଇଯାଇଥିଲା। ତେବେ ଏ ସମ୍ପର୍କରେ ଚୀନ୍ ପ୍ରତିପକ୍ଷଙ୍କୁ ସୂଚନା ଦିଆଯିବା ପରେ ଚୀନ୍ ଯାନଟିକୁ ନିଜ ଅଞ୍ଚଳରେ ଠାବ କରି ଖସାଇ ଦେବା ସହ ଏହାକୁ ଭିନ୍ନ ରଙ୍ଗ ଦେଇଛି। ଭାରତୀୟ ଯାନଟି ନିୟମ ଉଲ୍ଲଂଘନ କରି ଚୀନ୍ ସୀମାରେ ଅନୁପ୍ରବେଶ କରିବା ସହ ଏହାର କ୍ଷେତ୍ରୀୟ ସାର୍ବଭୌମତ୍ୱରେ ଆଞ୍ଚ ଆଣିଛି ବୋଲି ଚୀନ୍ର ସରକାରୀ ମୁଖପତ୍ର ଜିନୁଆରେ ପ୍ରକାଶ ପାଇଛି। ଏଥିରେ ଚୀନ୍ ତୀବ୍ର ଅସନ୍ତୋଷ ଜାହିର କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିବା କୁହାଯାଇଛି।