ସଙ୍କଟରେ ଅର୍ଥନୀତି : ୭୦ ବର୍ଷରେ ସବୁଠୁ ବଡ଼ ମାନ୍ଦାବସ୍ଥା

ପ୍ୟାକେଜ୍ ସପକ୍ଷରେ ନିତି ଆୟୋଗ ଉପାଧ୍ୟକ୍ଷ, ସିଇଏଙ୍କ ଭିନ୍ନ ମତ

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଏବେ ସଙ୍କଟରେ। ଅଟୋମୋବାଇଲଠୁ ନେଇ କପଡ଼ା ଶିଳ୍ପ ପର୍ଯ୍ୟନ୍ତ ଦେଶର ଗୋଟିଏ ପରେ ଗୋଟିଏ ଶିଳ୍ପ ଏଭଳି ସଂକୁଚିତ ‌ହେବାରେ ଲାଗିଛି ଯେ ବ୍ୟାପକ କର୍ମଚାରୀ ଛ‌େଟଇ ଆରମ୍ଭ ହୋଇଛି। ୭୦ ବର୍ଷ ମଧ୍ୟରେ ଏବେ ଦେଶ ସବୁଠୁ ବଡ଼ ମାନ୍ଦାବସ୍ଥାର ସାମ୍ନା କରୁଛି ବୋଲି ଖୋଦ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରକାଶ କରିଛନ୍ତି।

ତେବେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାରେ ସୁଧାର ଆଣିବା ଲାଗି ଦେଶର ଦୁଇ ପ୍ରମୁଖ ସଂସ୍ଥାର ମୁଖ୍ୟଙ୍କର ମତ ଭିନ୍ନ ରହିଛି।

ରାଜୀବ କୁମାର ଗୋଟିଏ ମତ ଦେଉଥିବାବେଳେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ ଅନ୍ୟ ଏକ ମତ ଦେଇଛନ୍ତି। ଏହି ଦୁଇ ସରକାରୀ ଚିନ୍ତାନାୟକଙ୍କ ଭିନ୍ନ ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅର୍ଥନୀତିରେ ଗତ ୭୦ ବର୍ଷ ମଧ୍ୟରେ ଏଭଳି ମାନ୍ଦାବସ୍ଥା କେବେ ଦେଖିବାକୁ ମିଳି ନଥିଲା। କେହି କାହାରିକୁ ବିଶ୍ବାସ କରୁନାହାନ୍ତି। ଘରୋଇ କ୍ଷେତ୍ରରେ କେହି ଋଣ ଦେବାକୁ ପ୍ରସ୍ତୁତ ନାହାନ୍ତି। ପ୍ରତ୍ୟେକ ନଗଦ ଅର୍ଥକୁ ହାତରେ ଧରି ବସିଛନ୍ତି। ସମୁଦାୟ ଆର୍ଥିକ କ୍ଷେତ୍ର ବିପଦ ଭିତରେ ଥିବାରୁ ତୁରନ୍ତ ପଦକ୍ଷେପ ଘୋଷଣା କରିବାକୁ ରାଜୀବ କୁମାର ଦାବି କରିଛନ୍ତି। ଦେଶର ଆର୍ଥିକ କ୍ଷେତ୍ରରେ ଦେଖା‌ଦେଇଥିବା ଚାପର ସୁଧାର ଆଣିବା ପାଇଁ ଅସାଧାରଣ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ୨୦୦୯ରୁ ୨୦୧୪ ମଧ୍ୟରେ ପ୍ରଦାନ କରାଯାଇଥିବା ମନଇଚ୍ଛା ଋଣ ଯୋଗୁ ଆର୍ଥିକ କ୍ଷେତ୍ରରେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ କୁମାର କହିଛନ୍ତି।

ଅନ୍ୟପକ୍ଷରେ ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ କହିଛନ୍ତି, କୌଣସି ପ୍ରକାର ଉଦ୍ଧାର ପ୍ୟାକେଜ ଘୋଷଣା କରାଗଲେ ତାହା ନୈତିକ ବିପର୍ଯ୍ୟୟ ହେବ। ସେହିଭଳି ପ୍ୟାକେଜ ଘୋଷଣା ବଜାର ଅର୍ଥନୀତିର ବିରୋଧାଚାରଣ କରିବ। ସେ କହିଛନ୍ତି, ୧୯୯୧ ମସିହାରୁ ଭାରତ ଏକ ବଜାର ଅର୍ଥନୀତିରେ ପରିଣତ ହୋଇସାରିଛି। ବଜାର ଅର୍ଥନୀତିରେ ଅନେକ କ୍ଷେତ୍ର ରହିଛି ଯେଉଁଗୁଡ଼ିକ ସୂର୍ଯ୍ୟୋଦୟ -ସୂର୍ଯ୍ୟାସ୍ତ ବା ଉତ୍‌ଥାନ ପତନ ଦେଇ ଗତି କରିଥାନ୍ତି। ଅର୍ଥନୀତିରେ ଯେତେବେଳେ ପତନ ଦେଖାଦେବ ସେତେବେଳେ ସରକାର ଟିକସଦାତାଙ୍କ ଅର୍ଥରେ ପ୍ୟାକେଜ ଘୋଷଣା କରିବା ଠିକ୍ ନୁହେଁ। ବଜାର ଅର୍ଥନୀତିରେ ପୁଞ୍ଜିପତି ଲାଭକୁ ରଖୁଥିବାବେଳେ କ୍ଷତିକୁ ସମାଜ ଉପରେ ଲଦିଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ପତନ ବେଳେ ପ୍ୟାକେଜ ଘୋଷଣା ବଜାର ଅର୍ଥନୀତିର ବିପରୀତ ବୋଲି ସୁବ୍ରମଣ୍ୟନ୍ କହିଛନ୍ତି।

ତେବେ ପୂର୍ବତନ ଅର୍ଥ ସଚିବ ଏବଂ ବର୍ତ୍ତମାନର ଶକ୍ତି ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି, ବିତ୍ତୀୟ ପ୍ୟାକେଜ ପରିବର୍ତ୍ତେ ଘରୋଇ କ୍ଷେତ୍ରକୁ କମ୍ ସୁଧ ହାରରେ ଋଣ ଉପଲବ୍ଧ କରାଇବା ମାନ୍ଦାବସ୍ଥାର ମୁକାବିଲା ପାଇଁ ଯଥାର୍ଥ ବୋଲି ମନେହୁଏ। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇଥିବାରୁ ପ୍ରଥମ ତ୍ରୟମାସର ଜିଡିପି ଅଭିବୃଦ୍ଧି କମ୍ ରହିବା ସମ୍ଭାବନା ଅଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ପ୍ରଥମ ତ୍ରୟମାସର ଜିଡିପି ଅଭିବୃଦ୍ଧି ରିପୋର୍ଟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ।

ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଉଦ୍ୟୋଗ ଜଗତ ପ୍ୟାକେଜ ଘୋଷଣା ପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଛି। ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ ଛଟେଇକୁ ରୋକିବା ଲାଗି ପ୍ୟାକେଜ ଘୋଷଣାର ଆବଶ୍ୟକତା ରହିଛି ବୋଲି ଉଦ୍ୟୋଗ ଜଗତ ମତ ଦେଇଛି। ଅନ୍ୟପକ୍ଷରେ ବଜାଜ୍‌ ଅଟୋର ଏମଡି ରାଜୀବ ବଜାଜ୍‌ କହିଛନ୍ତି, କୌଣସି ପ୍ୟାକେଜ ଦାବି କରିବା ପୂର୍ବରୁ ପ୍ରଥମେ ନିଜର ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଟୋ ଶିଳ୍ପ ପାଇଁ ବର୍ତ୍ତମାନର ସମୟ ଅତ୍ୟନ୍ତ କଷ୍ଟଦାୟକ ବୋଲି ସେ ମତ ଦେଇଥିଲେ ମଧ୍ୟ ୫ରୁ ୭ ପ୍ରତିଶତ ବିକ୍ରି ହ୍ରାସକୁ ସଙ୍କଟ କୁହାଯାଇ ପାରିବ ନାହିଁ ବୋଲି ଶ୍ରୀ ବଜାଜ୍ କହିଛନ୍ତି।

ସମ୍ବନ୍ଧିତ ଖବର