ଧୈର୍ଯ୍ୟ ରଖ, ସରକାର ସମସ୍ତଙ୍କୁ ଘରକୁ ନେଇଯିବେ : ଫସିରହିଥିବା ଛାତ୍ରଛାତ୍ରୀଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ନିବେଦନ

କିବ୍ : ୟୁକ୍ରେନର ରାଜଧାନୀ କିବରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଏକ ଜରୁରୀ ସୂଚନା ଜାରି କରାଯାଇଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ, କେବଳ ଖାରକିବ ଓ ସୁମିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ଥିବା ପ୍ରାୟ ୧୦ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଖାରକିବରେ ଯୁଦ୍ଧ ଚାଲୁରହିଥିଲେ ବି ଗତ କିଛି ଦିନ ମଧ୍ୟରେ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସେହିପରି ପେସୋଚିନରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ସୁମିରେ ସ୍ଥିତି ଚିନ୍ତାଜନକ ଥିଲେ ବି ସେଠାରେ ଫସିରହିଥିବା ପିଲାମାନଙ୍କ ଉଦ୍ଧାର ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ଗତ କିଛି ଦିନ ହେଲା ଛାତ୍ରଛାତ୍ରୀମାନେ ଅଭୁତପୂର୍ବ ସାହସ ଓ ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯିବା ପର୍ଯ୍ୟନ୍ତ ଆଉ କିଛି ଧୈର୍ଯ୍ୟ ରଖିବାକୁ ଦୂତାବାସ ପକ୍ଷରୁ ନିବେଦନ କରାଯାଇଛି ।

ଅନ୍ୟପକ୍ଷରେ ଯେଉଁଛାତ୍ରଛାତ୍ରୀମାନେ ୟୁକ୍ରେନର ପଶ୍ଚିମ ସୀମାକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି, ସେମାନେ ଆଉ କିଛି ଘଣ୍ଟା ଅପେକ୍ଷା କରନ୍ତୁ, ଭାରତ  ସରକାର ଖୁବଶୀଘ୍ର ସେମାନଙ୍କୁ ଘରକୁ ନେଇଯିବେ । ଏହା ସହିତ ସେମାନେ ଆବଶ୍ୟକ ନିରାପତ୍ତା ମାନଦଣ୍ଡକୁ ପାଳନ କରିବା ସହ ୟୁକ୍ରେନ ଅଧିକାରୀଙ୍କ ସହଯୋଗ କରନ୍ତୁ । କାରଣ ସମାନ ରାସ୍ତା ଦେଇ ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଶିଶୁ, ମହିଳା, ବରିଷ୍ଠ ନାଗରିକ, ଯାଉଛନ୍ତି ।

ସମ୍ବନ୍ଧିତ ଖବର