ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ବାରଣ ଉପରେ ଭାରତର ଗୁରୁତ୍ବ

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକରେ ଶୁକ୍ରବାର ଭାରତ ଜୈବିକ ଓ ବିଷବାହୀ ଅସ୍ତ୍ରଶସ୍ତ୍ର ବାରଣ ଉପରେ ଗୁରୁତ୍ବ ଦେଇଛି। ଜୈବିକ ଓ ବିଷବାହୀ ଅସ୍ତ୍ରଶସ୍ତ୍ର ସମ୍ମିଳନୀ ଦ୍ବାରା ଆହୂତ ନୀତି ନିୟମକୁ ସମ୍ମାନ ଜଣାଇ ଭାରତ ପକ୍ଷରୁ କୁହାଯାଇଛି ଯେ, ଏଭଳି ସମ୍ମିଳନୀର ଗୁରୁତ୍ବ ରହିଛି। ଏଭଳି ଧ୍ବଂସକରୀ ଅସ୍ତ୍ରଶସ୍ତ୍ରକୁ ବାରଣ କରାନଗଲେ ଦୀର୍ଘଦିନ ଧରି ଲାଗି ରହିଥିବା ରୁଷ ଓ ୟୁକ୍ରେନ ଯୁଦ୍ଧରେ ଏହାର ପ୍ରଭାବ ପଡିପାରେ। ଗତ ସପ୍ତା‌ହରେ ମିଳିତ ଜାତିସଂଘର ନିରାପତ୍ତା ପରିଷଦ ପକ୍ଷରୁ ଅନୁଷ୍ଠିତ ବୈଠକରେ ଜାତିସଂଘର ଅଣ୍ଡର ସେକ୍ରେଟେରୀ ଜେନେରାଲ୍ ଇଜୁମି ନାକାମିଟୁଙ୍କ ମନ୍ତବ୍ୟକୁ ଆଧାର କରି ଭାରତ ଅନୁରୂପ ମତ ଦେଇଥିଲା। ଶୁକ୍ରବାର ବୈଠକରେ ମଧ୍ୟ ଏହା ପୁନର୍ବାର ଦୋହରାଇଛି।

ଜାତିସଂଘର ରାଷ୍ଟ୍ରଦୁତ ହିସାବରେ ପ୍ରତିନିଧିତ୍ବ କରୁଥିବା ଭାରତର ଉପ ସ୍ଥାୟୀ ପ୍ରତିନିଧି ଆର.ରବୀନ୍ଦ୍ର କହିଛନ୍ତି ଯେ, ଉକ୍ତ ସମ୍ମିଳନୀକୁ ବିଶ୍ବବ୍ୟାପୀ ଭେଦଭାବହୀନ ଅସ୍ତ୍ରଶସ୍ତ୍ର ସମ୍ମିଳନୀ ଭାବେ ଭାରତ ଗୁରୁତ୍ବ ଦେଇ ଆସୁଛି। ଏହି ସମ୍ମିଳନୀ ଦ୍ବାରା ହିଁ ଏଭଳି ମାରାତ୍ମକ ଅସ୍ତ୍ରକୁ ବାରଣ କରାଯାଇପାରିବ। ଏହି ସମ୍ମିଳନୀ ଦ୍ବାରା ହିଁ ଏହାକୁ ନିଶ୍ଚିତ କରିବା ଜରୁରୀ। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଉଦାହରଣ କରି ସେ କହିଥିଲେ ଯେ, ଯୁଦ୍ଧ ଦ୍ବାରା କୌଣସି ପରିସ୍ଥିତିର ସମାଧାନ ହୋଇନପାରେ। ଉଭୟ ପକ୍ଷର ପରାମର୍ଶ ଓ ସହଯୋଗ ଦ୍ବାରା ହିଁ ସମସ୍ୟାର ସମାଧାନ କରାଯାଇପାରିବ।

ରୁଷ ଓ ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ତାହା ଦ୍ବାରା ୟୁକ୍ରେନର ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ନିଜ ନିଜ ଭିତରେ ଶତ୍ରୁତା ବନ୍ଦ କରି କୁଟନୈତିକ ସ୍ତରରେ ଆଲୋଚନା କଲେ ଏହା ନିଶ୍ଚିତ ଫଳପ୍ରଦ ହେବା ଆଶା କରାଯାଉଛି। ତେଣୁ ମିଳିତ ଜାତି ସଂଘର ଚାର୍ଟର, ଅନ୍ତର୍ଜାତୀୟ ଆଇନ ତଥା ସାର୍ବଭୌମତ୍ବକୁ ସମସ୍ତ ରାଷ୍ଟ୍ର ସମ୍ମାନ ଦେଇ ଏଭଳି ସମ୍ମିଳନୀରେ ଯୋଗଦାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର