ଏକ ନିୟମ ଭିତ୍ତିକ ବିଶ୍ୱ ବ୍ୟବସ୍ଥା ଉପରେ ବିପଦ ଘନେଇ ଆସୁଛି : ମୋଦୀ

ନୂଆଦିଲ୍ଲୀ : ଭାରତ ଓ ୟୁରୋପୀୟ ସଂଘ ପ୍ରାକୃତିକ ଭାବେ ସହଯୋଗୀ । କାରଣ ଉଭୟେ ଗଣତନ୍ତ୍ର, ସ୍ୱାଧୀନତା, ସ୍ୱଚ୍ଛତା, ସାମଗ୍ରିକତା, ବହୁମତବାଦ ଉପରେ ବିଶ୍ୱାସ କରନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

୧୫ ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ୱରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗୀତା ଜରୁରୀ । ଆଜିର ବିଶ୍ୱ ପରିସ୍ଥିତିରେ ଏହି ସହଯୋଗୀତାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

କିନ୍ତୁ ଏବେ ଏକ ନିୟମ ଭିତ୍ତିକ ବିଶ୍ୱ ବ୍ୟବସ୍ଥା ଉପରେ ବିପଦ ଘନେଇ ଆସୁଛି । ଚୀନର ବଢିଚାଲିଥିବା ପ୍ରାର୍ଦୁର୍ଭାବକୁ ଇଙ୍ଗିତ କରି ସେ ଏହା କହିଥିବା ଅନୁମାନ କରାଯାଉଛି ।

ଭାରତ- ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଗତ ମାର୍ଚ୍ଚ ମାସରେ ହେବାକୁ ଥିଲେ ମଧ୍ୟ କରୋନା ଭାଇରସ ମହାମାରୀ ଯୋଗୁଁ ହୋଇପାରିନଥିଲା । ଆଜି ତାହା ଭିଡିଓକନଫରେନ୍ସିଂ ମାଧ୍ୟମରେ ହେଉଛି । ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ କାରବାର, ପ୍ରତିରକ୍ଷା, ନିବେଶ ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ସଂପର୍କରେ ଏହି ଅବସରରେ ଆଲୋଚନା ହେବାର ଅଛି । ଏହି ସମ୍ମିଳନୀରେ ବିଶ୍ୱରେ ଚୀନର ଆକ୍ରାମକ ନୀତି ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏହି ସମ୍ମିଳନୀରେ ୟୁରୋପୀୟ ପରିଷଦର ମୁଖ୍ୟ ଚାର୍ଲସ ମାଇକେଲ ଓ ୟୁରୋପୀୟ କମିଶନର ମୁଖ୍ୟ ଉର୍ସୁଲା ଭନ ଡର ଲେୟନ ୟୁରୋପୀୟ ସଂଘର ନେତୃତ୍ୱ କରୁଛନ୍ତି ।

ସମ୍ବନ୍ଧିତ ଖବର