ନ୍ୟୁୟର୍କ: ଶୁକ୍ରବାର ଦିନ ୭୫ତମ ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାର ପରେ ଭାରତ ତୁରନ୍ତ ଖାଁଙ୍କ ମନ୍ତବ୍ୟର ଜବାବ ଦେବାକୁ ପ୍ରସ୍ତୁତ ହୋଇଛି। ପାକିସ୍ତାନର ଏହି ବିବୃତିର ପ୍ରତ୍ୟୁତ୍ତର ଦେବାକୁ ଭାରତ ନିଜର ‘ଜବାବ ଦେବା ଅଧିକାର’ ପ୍ରୟୋଗ କରିବାକୁ ଜାତିସଂଘକୁ ଅନୁ‌ରୋଧ କରିଥିଲା। ଏଥିରେ ପାକିସ୍ତାନ ଆତଙ୍କବାଦକୁ ଯୋଗାଉଥିବା ସହଯୋଗ ଏବଂ ଧାର୍ମିକ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଭାରତ କଡ଼ା ସମାଲୋଚନା କରିଛି।

Advertisment

ପୂର୍ବରୁ ରେକର୍ଡ କରାଯାଇଥିବା ଇମ୍ରାନ୍‌ ଖାଁଙ୍କର ବିବୃତି ବଜା ଯିବାମାତ୍ରେ ହଲ୍‌ ତ୍ୟାଗ କରି ଚାଲିଯାଇଥିବା ଭାରତୀୟ ପ୍ରତିନିଧି ମିଜିତୋ ବିନିତୋ ଭାରତର ମତ ଉପସ୍ଥାପନ କରିଥିଲେ। କଡ଼ା ଶବ୍ଦ ସମ୍ବଳିତ ଜବାବରେ ଭାରତ କହିଛି, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଏବଂ ସହଜାତ ଅଂଶ। ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲାଗୁ କରାଯାଇଥିବା ନିୟମ ଓ ଆଇନ ଭାରତର ଏକାନ୍ତ ଅଭ୍ୟନ୍ତରୀଣ ବ୍ୟାପାର।

ପୂର୍ବରୁ ଇମ୍ରାନ୍ ଖାଁ କହିଥିଲେ, ପାକିସ୍ତାନ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କହିଛି। ତେଣୁ, ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଭାରତ ଗ୍ରହଣ କରିଥିବା ପଦକ୍ଷେପ ପ୍ରତ୍ୟାହାର କରିବା ଉଚିତ। ଏହାଛଡ଼ା ଜମ୍ମୁ ଓ କଶ୍ମୀରରୁ ସାମରିକ କଟକଣା ଏବଂ ଅନ୍ୟାନ୍ୟ ମାନବିକ ଅଧିକାର ଉଲ୍ଲଂଘନ ଆଦି ମଧ୍ୟ ଶେଷ କରିବା ଉଚିତ।

publive-image Image Courtesy of The Economic Times

ଖାଁଙ୍କୁ ଜବାବ ଦେଇ ଭାରତ ଦୃଢ଼ ଭାବରେ କହିଛି, ପାକିସ୍ତାନ ବେଆଇନ୍ ଭାବେ ଅଧିକାର କରିଥିବା ଅଞ୍ଚଳ ହେଉଛି କଶ୍ମୀର ଏକ ମାତ୍ର ବିବାଦ। ସେ ସବୁ ଅଞ୍ଚଳରୁ ହଟି ଯିବାକୁ ଆମେ ପାକିସ୍ତାନକୁ କହୁଛୁ।

ଖାଁଙ୍କ ଭାଷଣ ପରେ ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଟୁଇଟ୍ କରି କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଉତ୍ତର ଦେବାକୁ ଭାରତ ‘ଜବାଦ ଦେବା ଅଧିକାର’ ପ୍ରୟୋଗ କରିବ।

ଏହାପରେ ସବୁ ଦେଶର ଭାଷଣ ଶେଷ ହେବା ପରେ ଭାରତ ନିଜର ‘ଜବାବ ଦେବା ଅଧିକାର’ ପ୍ରୟୋଗ କରି ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଏକ ଦୀର୍ଘ ବିବରଣୀ ଦେଇଥିଲା।