ଆସନ୍ତାକାଲି କୁଳଭୂଷଣ ମାମଲାର ରାୟ ଶୁଣାଇବେ ଅନ୍ତର୍ଜାତୀୟ ନ୍ୟାୟାଳୟ, ଅନୁକୂଳ ରାୟ ପାଇଁ ଭାରତ ଆଶାବାଦୀ

ନୂଆଦିଲ୍ଲୀ : ନେଦରଲାଣ୍ଡର ଦି ହେଗଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ ଆସନ୍ତା କାଲି ଅର୍ଥାତ ବୁଧବାରଦିନ କୁଳଭୂଷଣ ଯାଦବ ମାମଲାରେ ନିଜର ରାୟ ଶୁଣାଇବେ । ଏହି ମାମଲାରେ ନିଜର ପକ୍ଷକୁ ନେଇ ଭାରତ ସରକାର ନିଶ୍ଚିତ ଥିବା ଜଣାଯାଇଛି । କୋର୍ଟ ଯାଦବଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି ଭାରତ ଆଶା କରୁଛି ।  ଏହି ମାମଲାରେ ଶେଷ ବାଚନିକ ଶୁଣାଣି ଗତ ଫେବ୍ରୁଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶୁଣାଣିବେଳେ ଉଭୟ ଭାରତ ଓ ପାକିସ୍ତାନର ଓକିଲମାନେ ନିଜ ନିଜର ପକ୍ଷ ରଖିଥିଲେ ।

ଗତ ୨୦୧୬ ମାର୍ଚ୍ଚଠାରୁ ପାକିସ୍ତାନ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ୨୦୧୭ ଏପ୍ରିଲ ମାସରେ ପାକିସ୍ତାନର ମିଲିଟାରୀ କୋର୍ଟ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଗତ ୨୦୧୭ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟ ମହିଳାଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ତତକାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।

ସମ୍ବନ୍ଧିତ ଖବର