କଟକଣା ପରେ ଭାରତ ଏପର୍ଯ୍ୟନ୍ତ ୧.୮ ନିୟୁତ ଟନ ଗହମ ରପ୍ତାନି କରିଛି

ନୂଆଦିଲ୍ଲୀ : ଗତ ମେ ମାସରେ ଭାରତ ସରକାର ଗହମ ରପ୍ତାନି ଉପରେ କଟକଣା ଜାରି କରିବା ପରେ ବି ଭାରତ ସରକାର କେତେକ ଦେଶକୁ ଗହମ ରପ୍ତାନି ଜାରି ରଖିଛନ୍ତି । ନିଷେଧାଜ୍ଞା ପରେ ଏପର୍ୟ୍ୟନ୍ତ ଭାରତ ପ୍ରାୟ ୧.୮ ନିୟୁତ ଟନ ଗହମ ରପ୍ତାନି କରିଛନ୍ତି । ବାଂଲାଦେଶ, ଆଫଗାନିସ୍ତାନ ସମେତ ପ୍ରାୟ ଏକ ଡଜନ ଦେଶଙ୍କୁ ଏହି ଗହମ ରପ୍ତାନି କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି । ମାନବୀୟ ସହାୟତା ବାବଦରେ ଆଫଗାନିସ୍ତାନକୁ ଭାରତ ୩୩ ହଜାର ଟନ ଗହମ ରପ୍ତାନି କରିଛି ।

ଏହାଛଡ଼ା ଅନ୍ୟ ପଡ଼ୋଶୀ ଦେଶ ଓ କେତେକ ଗରିବ ଦେଶଙ୍କୁ ମଧ୍ୟ ଭାରତ ଗହମ ଯୋଗାଇଛି ବୋଲି ସେ କହିଛନ୍ତି ।

ଭାରତ ସରକାର ଗତ ମେ ୧୩ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରକୁ ଗହମର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ବିଶ୍ବରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏ ପରିପ୍ରେକ୍ଷୀରେ ଭାରତର ରପ୍ତାନି କଟକଣାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର