ନୂଆଦିଲ୍ଲୀ : କରୋନା ଭାଇରସ୍ ବିଶ୍ବ ମହାମାରୀ ବିରୋଧରେ ଭାରତ ଏକ ଲମ୍ବା ଲଢ଼େଇ ଲଢ଼ିବ। କରୋନା ମୁକାବିଲା ଦିଗରେ ଭାରତ ଯେଉଁ ଉଦ୍ୟମ ଜାରି ରଖିଛି ତାହା ଉଦାହରଣୀୟ। ଦେଶ ଏହି ଭାଇରସ୍ ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ଜିତିବ । ଏହି ଦୃଢ଼ବିଶ୍ବାସ ସମସ୍ତେ ରଖନ୍ତୁ। ଏଥିରେ ଆମେ କ୍ଳାନ୍ତ ହେବାନି କି ପରାଜିତ ହେବାନି। ଆମେ ଏହି ଯୁଦ୍ଧରେ ଜିତିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଜେପି କର୍ମୀମାନଙ୍କୁ ଆଜି ଦଳର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେବା ଅବସରରେ ମୋଦୀ ବିରୋଧୀ ଦଳମାନଙ୍କ ସମାଲୋଚନାକୁ ଗ୍ରହଣ କରି କହିଛନ୍ତି, କରୋନା ମୁକାବିଲା ଦିଗରେ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଉଦାହରଣୀୟ ଏବଂ ଡବ୍ଳ୍ୟୁଏଚ୍ଓ ଏବଂ ବିଦେଶରେ ନେତାମାନେ ଭାରତର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଭାରତ କରୋନାର ଭୟାବହତାକୁ ବୁଝିପାରିଛି ଏବଂ ସଠିକ୍ ସମୟରେ ଏନେଇ କାମ ଆରମ୍ଭ କରିଛି। ଭାରତ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛି ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରୁଛି। ମୋଦୀ କହିଛନ୍ତି ସବୁବେଳେ ମନେ ରଖିବାକୁ ହେବ, ଯେତେବେଳେ ବି ବାହାରକୁ ଗଲେ ମୁହଁ ଘୋଡ଼ାଇବାକୁ ପଡ଼ିବ। ଏପରିକି ଘରେ ଥିଲେ ମଧ୍ୟ ମୁହଁ ଘୋଡ଼ାଇ ରଖିବାକୁ ହେବ। ସମଗ୍ର ବିଶ୍ବ ପାଇଁ ଆଜିର ମନ୍ତ୍ର ହେଉଛି ସାମାଜିକ ଦୂରତ୍ବ ଏବଂ ଶୃଙ୍ଖଳା। ଲକ୍ଡାଉନ୍ ସମୟରେ ଲୋକମାନେ ଯେଉଁ ପରିପକ୍ବତାର ପ୍ରଦର୍ଶନ କରିଛନ୍ତି ତାହା ଅବିଶ୍ବସନୀୟ। ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ ଲୋକଙ୍କ ଏଭଳି ଶୃଙ୍ଖଳିତ ଆଚରଣ ଅତ୍ୟନ୍ତ ପ୍ରେରଣାଦାୟକ। ରବିବାର ସନ୍ଧ୍ୟାରେ ଦେଶର ସମୁହ ଶକ୍ତିର ଜାଗରଣ ହୋଇଥିଲା। ୧୩୦ କୋଟି ଭାରତୀୟଙ୍କ ମିଳିତ ଶକ୍ତିର ପ୍ରଦର୍ଶନ ପାଇଁ ସମାଜର ସବୁ ବର୍ଗର ଲୋକେ ହାତ ମିଳାଇଥିଲେ ବୋଲି ମୋଦୀ କହିଛନ୍ତି।
ନୂଆଦିଲ୍ଲୀ: ଦେଶବ୍ୟାପୀ ଏବେ ପ୍ରବାସୀ ଶ୍ରମିକ ଏବଂ ପାଇଁ ୨୮,୦୦୦ ଅସ୍ଥାୟୀ ଶିବିର ଏବଂ ୧୯,୫୦୦ ଖାଦ୍ୟ ଶିବିର କାର୍ଯ୍ୟକ୍ଷମ ରହିଛି। ବିଭିନ୍ନ ରାଜ୍ୟ ସରକାର, ଏନ୍ଜିଓ , ଏବଂ ଶିଳ୍ପସଂସ୍ଥା ଦ୍ବାରା ପ୍ରବାସୀ ଶ୍ରମିକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଲକ୍ଡାଉନ୍ ସମୟରେ ଗୃହହୀନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ମୁକାବିଲା ଦିଗରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଦୈନିକ ବିବୃତି ଜାରି କରି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି, ବିଭିନ୍ନ ରାଜ୍ୟରେ ଏବେ ପ୍ରାୟ ୧୨.୫ ଲକ୍ଷ ପ୍ରବାସୀ ଶ୍ରମିକ ଏବଂ ଗୃହହୀନ ଲୋକଙ୍କୁ ଆଶ୍ରୟ ଯୋଗାଇ ଦେବାପାଇଁ ୨୭,୭୬୧ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ ରାଜ୍ୟ ସରକାର ଦ୍ବାରା ୨୩,୯୨୪ ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ବାକି ୩,୭୩୭ଟି ଶିବିର ବିଭିନ୍ନ ଏନ୍ଜିଓ ସଂସ୍ଥା ଦ୍ବାରା ପ୍ରତିଷ୍ଠା କରାଯାଇଛି। ୧୯,୪୬୦ ଖାଦ୍ୟ ଶିବିର ମଧ୍ୟରୁ ୯,୯୫୧ଟି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳନା ହେଉଛି ଏବଂ ବାକି ୯,୫୦୯ଟି ଏନ୍ଜିଓ ସଂସ୍ଥା ଦ୍ବାରା ପରିଚାଳନା ହେଉଛି। ଏହି ଖାଦ୍ୟ ଶିବିର ଦ୍ବାରା ପ୍ରତିଦିନ ୭୫ ଲକ୍ଷ ଗରିବ ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ ଦିଆଯାଉଛି। ୧୩.୬ ଲକ୍ଷ ସଦସ୍ୟଙ୍କୁ ମଧ୍ୟ ସେମାନଙ୍କ ନିଯୁକ୍ତିଦାତାଙ୍କ ଦ୍ବାରା ଖାଦ୍ୟ ଦିଆଯାଉଛି।