କରୋନାକୁ ବିଭିନ୍ନ ଦିଗରୁ ଭାରତ ଭଲରେ ମୁକାବିଲା କରିଛି: ଲାନ୍‌ସେଟ୍‌

ନୂଆଦିଲ୍ଲୀ: କରୋନା ମହାମାରୀକୁ ଭାରତ ବିଭିନ୍ନ ଦିଗରୁ ଭଲଭାବେ ମୁକାବିଲା କରିଛି। କିନ୍ତୁ ବିଜ୍ଞାନ ଉପରେ ନିର୍ଭର ନକରି ଭାରତ କୋଭିଡ୍‌ ସ୍ଥିତିକୁ ଯେଉଁଭଳି ମୁକାବିଲା କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ ସରକାରଙ୍କ ଆତ୍ମପ୍ରଶଂସା ଆଦୌ ଠିକ୍‌ ନୁହେଁ। ବ୍ରିଟିଶ ପତ୍ରିକା ଲାନ୍‌ସେଟ୍‌ରେ ଏହା କୁହାଯାଇଛି ଯେ, ଡବ୍ଲ୍ୟୁଏଚ୍‌ଓ (ହୁ) ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସମଗ୍ର ବିଶ୍ବରେ ଭାରତରେ ସବୁଠୁ ଦ୍ରୁତ ସଂକ୍ରମଣ ରହିଛି। ଜୁନ୍‌ ମାସରେ ତଥା ଲକ୍‌ଡାଉନ୍‌ ହଟିବା ପରଠାରୁ ଦେଶରେ ସଂକ୍ରମଣ ବଢ଼ିଚାଲିଛି। ଲାନ୍‌ସେଟ୍‌ରେ ଏହା କୁହାଯାଇଛି ଯେ, ଭାରତ ପରି ଏକ ବିଶାଳ ଦେଶରେ କରୋନା ପାଇଁ ବିଭିନ୍ନ ଦିଗରୁ ଭଲ ପଦକ୍ଷେପ ଗ୍ରହଣ ହୋଇଛି। ଭାରତ ମାର୍ଚ୍ଚରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କାରିଥିଲା। ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଥିଲେ। ଭେଣ୍ଟିଲେଟର ସମେତ ବିଭିନ୍ନ ସ୍ବାସ୍ଥ୍ୟ ଉପକରଣ ମଧ୍ୟ ବୃଦ୍ଧି କରାଯାଇଥିଲା। ଭାରତ ଟେଷ୍ଟିଂ ବଢ଼ାଇଲା। ଟିକା ପାଇଁ ମଧ୍ୟ ଭାରତ ବଳିଷ୍ଠ ଉଦ୍ୟମ ଜାରି ରଖିଛି।

କିନ୍ତୁ ଏସବୁ ସତ୍ତ୍ବେ ଆହୁରି ଅନେକ ଜଟିଳତା ରହିଯାଇଛି। କରୋନା ମହାମାରୀ ମଧ୍ୟରେ ରୋଜଗାର କମିବା ସହ ଅନାହାର ବୃଦ୍ଧିକୁ ଅଣଦେଖା କରାଯାଇଛି। ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାପାଇଁ ଅନେକ ବାଟ ଚାଲିଛନ୍ତି। ଭାରତର ଜିଡିପି କୋଭିଡ୍‌ ପୂର୍ବରୁ ମଧ୍ୟ ଖସିଯାଇଥିଲା। କିନ୍ତୁ ଏପ୍ରିଲ୍‌ ଜୁନ୍‌ ମାସରେ ପ୍ରାୟ ୨୫ ପ୍ରତିଶତ ସଂକୋଚନ ଭାରତକୁ ଆର୍ଥିକ ଦୃଷ୍ଟିରୁ ସବୁଠୁ ପ୍ରଭାବିତ ଦେଶ ଭାବେ ପରିଗଣିତ କରିପାରେ। ସଂକ୍ରମଣ ସହରରରୁ ଗାଁକୁ ବ୍ୟାପିଛି ଏବଂ କ୍ଷୁଦ୍ର ଘରୋଇ ହସ୍ପିଟାଲ୍‌ ଗୁଡ଼ିକରେ ସ୍ବାସ୍ଥ୍ୟ ଉପକରଣର ଅଭାବ ଦେଖାଦେଇଛି। ସରକାର କରୋନାକୁ ନେଇ ଗଣମାଧ୍ୟମ ସଂସ୍ଥାର ମାଲିକ ଏବଂ ସମ୍ପାଦକଙ୍କୁ ନକରାତ୍ମକ ଖବର ପ୍ରକାଶ ଏବଂ ପ୍ରସାରଣ ବନ୍ଦ କରିବାକୁ କହିଥିବା କୁହାଯାଉଛି। ଏହାଦ୍ବାରା ଉଭୟ ଗଣମାଧ୍ୟମ ଏବଂ ଅନେକ ବୈଜ୍ଞାନିକ ଅନୁଷ୍ଠାନ ମଧ୍ୟ ଚାପରେ ରହିଛନ୍ତି। ଭାରତର ମୃତ୍ୟୁହାରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ପ୍ରକୃତ ତଥ୍ୟକୁ ଲୁଚାଇବା ଭୁଲ୍‌ ବୋଲି ଲାନସେଟ୍‌ରେ କୁହାଯାଇଛି। ବଳିଷ୍ଠ ପ୍ରମାଣ ନଥାଇ ଆଇସିଏମ୍‌ଆର ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଚିକିତ୍ସାକୁ ସମର୍ଥନ ଦେବା ପ୍ରସଙ୍ଗରେ ମଧ୍ୟ ଲାନ୍‌ସେଟ୍‌ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର