ଭାରତର କରୋନା ମୁକାବିଲା: ଦିନକରେ ୭୦୫ ରୋଗୀ ସୁସ୍ଥ, ହାରାଷ୍ଟ୍ରର ଆରୋଗ୍ୟଲାଭ ସଂଖ୍ୟା ଚିନ୍ତାଜନକ

ସମୁଦାୟ ୩୨୫୨ ରୋଗୀ ସୁସ୍ଥ, ମହାରାଷ୍ଟ୍ରରେ ୫୭୨, ଦିଲ୍ଲୀରେ ୪୩୧ ରୋଗୀ କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ପ୍ରକୋପ ବଢ଼ି ଚାଲିଥିବା ବେଳେ ଆକ୍ରାନ୍ତଙ୍କୁ ନେଇ ଏବେ ଏକ ଭଲ ଖବର ଲୋକଙ୍କୁ ଆଶ୍ବସ୍ତ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ଜଣାପଡ଼ିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ସୁସ୍ଥ ହେବା ଏକ ରେକର୍ଡ ବୋଲି କୁହାଯାଇଛି। ୧୮ ତାରିଖ ଦିନ ଦେଶରେ ମୋଟ ୨୩୯ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୯ ତାରିଖ ଦିନ ୩୧୦ ଜଣ ରୋଗୀ ସୁସ୍ଥ ହୋଇଥିଲେ। ତେବେ ୨୦ ତାରିଖ ଦିନ ୭୦୫ ଜଣ ରୋଗୀ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଆଜି କରୋନା ସଂକ୍ରମଣ ମାମଲା ୧୮୯୮୫ରେ ପହଞ୍ଚିଛି ଏବଂ ସେଥିରୁ ଏ ପର୍ଯ୍ୟନ୍ତ ୬୦୩ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ୩୨୬୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ୫୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ୪୩୧ ଜଣ ସୁସ୍ଥ ତରେ ୪୦୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦେଶରେ ସୁସ୍ଥ ହେବା ହାର କେରଳରେ ସର୍ବାଧିକ ରହିଛି। ତାମିଲନାଡ଼ୁରେ ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ବିହାରରେ ୧୧୩ ଜଣ ସୁସ୍ଥ ହୋଇଛନ୍ତି। ବିହାରରେ ୪୨ ଜଣ, ରାଜସ୍ଥାନରେ ୨୦୫ ଜଣ ଏବଂ ତେଲେଙ୍ଗାନାରେ ୧୯୦ ଜଣ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୩୬ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କରୋନାରେ ସର୍ବାଧିକ ୨୩୨ ଜଣ ମହାରାଷ୍ଟ୍ରରେ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୫୪୭୦ ପଜିଟିଭ ମାମଲା ମିଳିଛି। ଦିଲ୍ଲୀରେ କରୋନା ଆ୍ରକ୍ରାନ୍ତଙ୍କ ସଂଖ୍ୟା ୨୫୫୯ରେ ପହଞ୍ଚିଥିବା ବେଳେ ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଛୁଇଁଛି।

ମହାରାଷ୍ଟ୍ରର ଆରୋଗ୍ୟଲାଭ ଅଙ୍କ ଚିନ୍ତାଜନକ
ମୁମ୍ବାଇ: ମହାରାଷ୍ଟ୍ର ଓ ରାଜଧାନୀ ମୁମ୍ବାଇରେ ଦେଶର ସର୍ବାଧିକ କରୋନା ସଂକ୍ରମିତ ରୋଗୀ ରହିଥିବା ବେଳେ ଆରୋଗ୍ୟଲାଭ ହାର ଖୁବ୍‌ ନୈରାଶ୍ୟଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗତ ମାସରେ ରାଜ୍ୟର ପ୍ରାୟ ୧୨% ରୋଗୀ ଏବଂ ମହାନଗରୀର ପ୍ରାୟ ୧୩% ରୋଗୀ ଆରୋଗ୍ୟଲାଭ କରି ହସପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ଯେ କେରଳରେ ଏହି ହାର ୬୪% ହୋଇଥିବା ବେଳେ କର୍ଣାଟକରେ ୨୬% ସୁସ୍ଥ ହୋଇ ଘରକୁ ଗଲେଣି। ଏପରିକି ଜାତୀୟ ହାର ମଧ୍ୟ ଗତ ସପ୍ତାହରେ ୧୪% ରହିଛି। ମହାରାଷ୍ଟ୍ରର ୪୬୬୬ ରୋଗୀଙ୍କ ମଧ୍ୟରୁ ୫୭୨ ସୁସ୍ଥ ହୋଇଥିବା ବେଳେ ମୁମ୍ବାଇ ମହାନଗରୀର ୩୦୯୦ ମଧ୍ୟରୁ ୩୯୪ ଜଣ ସୁସ୍ଥ ହୋଇଛନ୍ତି। ବିଡମ୍ବନାର କଥା ଯେ ସଂକ୍ରମିତଙ୍କ ମଧ୍ୟରୁ ୭୨% ହେଉଛନ୍ତି ୫୦ ବର୍ଷରୁ କମ୍‌ ବୟସ ବର୍ଗର ଏବଂ ୬୫ ରୁ ୭୦% ରୋଗୀଙ୍କର ଖାସ୍‌ କୌଣସି ଲକ୍ଷଣ ନାହିଁ। ବିପଦପୂର୍ଣ ସ୍ଥିତିରେ ମାତ୍ର ୫% ରୋଗୀ ଅଛନ୍ତି। ସାଧାରଣତଃ ୨୪ ଘଣ୍ଟା ମଧ୍ୟରେ ଲଗାତାର ଦୁଇଟି ରିପୋର୍ଟ ନେଗେଟିଭ୍‌ ଆସିଲେ, ସେଇ ରୋଗୀଙ୍କୁ ଘରକୁ ପଠାଇଦିଆଯାଏ। କିନ୍ତୁ ଏଥିରେ ଆମଲାତନ୍ତ୍ରିକ ଅଡୁଆ ପଶିଯାଉଛି ବୋଲି ଜଣେ ହସପିଟାଲ ଡାକ୍ତର କହିଛନ୍ତି। ରାଜ୍ୟର ପୁଣେରେ ଆରୋଗ୍ୟହାର ୯% ଥିବା ବେଳେ ଅହମଦନଗରରେ ୬୮% ଏବଂ ସାଙ୍ଗଲୀରେ ୯୬% ରହିଛି। ତେବେ ଜନସଂଖ୍ୟା ଘନତା କାରଣରୁ ମୁମ୍ବାଇକୁ ସମ୍ଭାଳିବା ସବୁଠୁ ବ଼ ଆହ୍ୱାନ ହୋଇ ରହିଛି ବୋଲି ଜଣେ ବିଶେଷଜ୍ଞ ଡାକ୍ତର ତନୁ ସିଂଘଲ କହିଛନ୍ତି।

 

ସମ୍ବନ୍ଧିତ ଖବର