ସବୁଠୁ ଖରାପ ସ୍ଥିତି ପାଇଁ ଆମେ ପ୍ରସ୍ତୁତ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ସମ୍ପ୍ରତି ଆମ ଦେଶରେ କରୋନା ଜନିତ ମୃତ୍ୟୁ ହାର ମାତ୍ର ୩.୩ ପ୍ରତିଶତ ଭିତରେ ସୀମିତ ରହିଥିବା ବେଳେ ଆରୋଗ୍ୟ ହାର ୨୯.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶ ପାଇଁ ଏହା ଏକ ଶୁଭ ସୂଚନା ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିଗତ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଦିନରେ ଦ୍ବିଗୁଣିତ ହେଉଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ପୂର୍ବରୁ ଏକ ସପ୍ତାହ ଧରି ତାହା ଦ୍ବିଗୁଣିତ ହେବାକୁ ୯.୯ ଦିନ ଲାଗୁଥିଲା। ଏଥିରୁ ମଧ୍ୟ ଦେଶରେ ସଂକ୍ରମଣ ମାତ୍ରା କମୁଥିବା ଅନୁମେୟ। ତେବେ ସର୍ବୋପରି ଆମମାନଙ୍କର ସମୟୋପଯୋଗୀ ପଦକ୍ଷେପ ଏବଂ ଧୈର୍ଯ୍ୟ ଆମକୁ ନିଶ୍ଚୟ କରୋନା ବିରୋଧୀ ଲଢେ଼ଇରେ ବିଜୟ କରାଇବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ସତର୍କ କରାଇ ଦେଇଛନ୍ତି ଯେ ଜୁନ-ଜୁଲାଇ ଆଡ଼କୁ ସଂକ୍ରମଣ ସଂଖ୍ୟା ଶିଖର ଛୁଇଁପାରେ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। କିନ୍ତୁ ଏଭଳି ପରିସ୍ଥିତିର ମୁକାବିଲା ଲାଗି ଦେଶ ପ୍ରସ୍ତୁତ ରହିଛି। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ ଯେ କୋଭିଡ୍-୧୯ ପରୀକ୍ଷା ସଂଖ୍ୟା ବଢ଼ାଇ ଦିଆଯାଇଛି। ଏବେ ଦିନକୁ ୯୫ ହଜାର ପରୀକ୍ଷା କରାଯାଉଛି। ବର୍ତମାନ ସୁଦ୍ଧା ୧୫ ଲକ୍ଷ ୨୫ ହଜାର ୬୩୧ ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଆଗକୁ ଏହି ପରୀକ୍ଷା ସଂଖ୍ୟାରେ ଆହୁରି ବୃଦ୍ଧି କରାଯିବ। ଦେଶରେ ଲକ୍ ଡାଉନର ୪୬ତମ ଦିନରେ ଆଜି ସଂକ୍ରମିତ ରୋଗୀ ସଂଖ୍ୟା ୬୦ ହଜାର ଅତିକ୍ରମ କରିଛି। ସେଥିମଧ୍ୟରୁ ପ୍ରାୟ ୧୮ ହଜାର ଆରୋଗ୍ୟ ଲାଭ କରିଥିବା ବେଳେ ୩୯ ହଜାର ଲୋକ ବିଭିନ୍ନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ବର୍ତମାନ ସୁଦ୍ଧା ୧୯୮୧ ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର