ଚୀନ ସହ ଉତ୍ତେଜନା ମଧ୍ୟରେ ଭାରତରେ ପହଞ୍ଚିଲା ଆଉ ୫ଟି ଆପାଚେ ଲଢୁଆ ହେଲିକାପ୍ଟର
ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ଗଲଓ୍ଵାନ ସଂଘର୍ଷ ପରେ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ପୁଣି ଫେରିବା ଅସମ୍ଭବ ନୁହେଁ । ଏଣୁ ଭାରତ ନିଜର ଲଢୁଆ ବିମାନ ଓ ହେଲିକାପ୍ଟର ସଂଖ୍ୟା ବଢାଇଚାଲିଛି ।
ଆଜି ଆମେରିକାର ବୋଇଂ କମ୍ପାନି ଭାରତୀୟ ବାୟୁସେନାକୁ ଅବଶିଷ୍ଟ ୫ଟି ଏଏଚ-୬୪ ଡି ଆପାଚେ ଆଟାକ ହେଲିକାପ୍ଟର ପ୍ରଦାନ କରିଛି । ଭାରତ ମୋଟ ୨୨ଟି ଆପାଚେ ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ ୧୭ଟି ଭାରତରେ ପହଞ୍ଚିସାରିଛି । ଗଲଓ୍ଵାନ ଘାଟିରେ ମଧ୍ୟ ଭାରତୀୟ ବାୟୁସେନା ନିଜର ଆପାଚେ ହେଲିକାପ୍ଟରକୁ ମୁତୟନ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।ଏହି ହେଲିକପ୍ଟରରେ ୩୦ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।
ଅନ୍ୟ ପକ୍ଷରେ ଗତ ମାର୍ଚ୍ଚ ମାସରେ ଭାରତ ମଗାଇଥିବା ୧୫ଟି ଚିନୁକ ହେଭିଲିପ୍ଟ ହେଲିକାପ୍ଟର ଭାରତରେ ପହଞ୍ଚିସାରିଛି । ଭାରତ ମୋଟ ୧୫ଟି ଚିନୁକ ଡେଲିଭରି ପାଇଁ ବୋଇଂକୁ ଅର୍ଡର ଦେଇଥିଲା । ଚିନୁକ ହେଭିଲିପ୍ଟ ହେଲିକାପ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ମଧ୍ୟରୁ ଅନ୍ୟତମ । ଏହା ଉଭୟ ଆକ୍ରମଣ ଓ ପରିବହନ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରିବ । ଅତ୍ୟନ୍ତ ଓଜନିଆ ଯୁଦ୍ଧ ସାମଗ୍ରୀ ଯେପରିକି ହେଭିମେସିନଗନ, ଆର୍ଟିଲାରୀ ଗନ ଆଦିକୁ ଏଥିରେ ବହନ କରିହେବ ।