ଭାରତରେ ପ୍ରସ୍ତୁତ ହେଲା ପ୍ରଥମ ସ୍ୱଦେଶୀ କରୋନାଭାଇରସ୍ ପରୀକ୍ଷା କିଟ୍

ମୁମ୍ବାଇ: ପୁଣେସ୍ଥିତ “ମାଇଁଲ୍ୟାବ୍ ଡିସ୍କଭରି ସଲୁ୍ୟସନ୍’ର ଭାଇରୋଲଜିଷ୍ଟ୍ ମୀନାଲ ଧାକାଲେ ଭୋସାଲେ ସୁଲଭ ମୂଲ୍ୟର ଭାରତ ନିର୍ମିତ କୋଭିଡ୍-୧୯ ପରୀକ୍ଷା କିଟ୍ ବିକଶିତ କରିଛନ୍ତି । ଖୁବ୍ ଶୀଘ୍ର ଉକ୍ତ କିଟ୍ ବ୍ୟାବସାୟିକ ବ୍ୟବହାର ନିମନ୍ତେ ଉପଲବ୍ଧ ହେବ ।

ଲ୍ୟାବରେ ଥିବା ସହକର୍ମୀମାନଙ୍କ ସହଯୋଗରେ ନିକଟରେ ମାଆ ହୋଇଥିବା ମୀନାଲ୍ ଏହି କିଟ୍ ଉଦ୍ଭାବନ କରିଛନ୍ତି । ପୁଣେସ୍ଥିତ ନ୍ୟସନାଲ୍ ଇନଷ୍ଟିଚୁ୍ୟଟ ଅଫ୍ ଭାଇରୋଲଜିରେ ଏହି କିଟ୍ ଦାଖଲ କରାଯାଇଛି । ଅଧିକ ପରୀକ୍ଷଣ ଏବଂ ଅନୁମୋଦନ ପାଇଁ ଏହି କିଟକୁ ମୁମ୍ବାଇ, ଗୋଆ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ପଠାଯିବ ।

ମୀନାଲଙ୍କ ଉଦ୍ୟମକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏବଂ କିରଣ ମଜୁମଦାର ଶ’ ପ୍ରଶଂସା କରିଛନ୍ତି । ଟୁଇଟ୍ କରି ମହିନ୍ଦ୍ରା କହିଛନ୍ତି: ଶ୍ରୀମତୀ ଭୋସାଲେ, ଆପଣ କେବଳ କିଟ୍ ଓ ଆପଣଙ୍କ ସନ୍ତାନ ଜନ୍ମାଇ ନାହାନ୍ତି ଏ ଦେଶ ନିମନ୍ତେ ଆଶାର କିରଣ ମଧ୍ୟ ଜନ୍ମାଇଛନ୍ତି । ଆମେ ଦଣ୍ଡାୟମାନ ହୋଇ ଆପଣଙ୍କୁ ଅଭିବାଦନ ଜଣାଉଛୁ ।

Chief of Mylab’s R&D and Virologist Minal Dakhave Bhosale
Image Courtesy of Sakshi Post

“ମାଇଁଲ୍ୟାବ୍ ଡିସ୍କଭରି ସଲୁ୍ୟସନ୍’ର ନିର୍ଦେଶକ ଗୌତମ ୱାଖେଁଡ଼େ କହିଛନ୍ତି ଯେ ସେମାନେ ଦୁଃସମୟ ବିରୋଧରେ ସଂଗ୍ରାମ ଚଳାଇଛନ୍ତି । କରୋନାଭାଇରସ୍ ଦ୍ରୁତ ବେଗରେ ବିସ୍ତାରିତ ହୋଇଚାଲିଛି ଏବଂ କିଟ୍ ଉଦ୍ଭାବନ କରିବାକୁ ଆମ ପାଖରେ ସମୟ ଅତି ସ୍ୱଳ୍ପ । ସୁଲଭ ମୂଲ୍ୟର ଏହି କୋଭିଡ୍-୧୯ ପରୀକ୍ଷା କିଟ୍ ବିକଶିତ କରିବାକୁ ଶ୍ରୀମତୀ ମୀନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଆମେ ଏକ ଲକ୍ଷ କିଟ୍ ପ୍ରସ୍ତୁତି କରିପାରିବୁ । ସରକାରଙ୍କ ସହାୟତା ମିଳିଲେ ସଂଖ୍ୟା ଆହୁରି ଅଧିକ ହୋଇପାରେ ।
ଏଠାରେ ପ୍ରକାଶଯୋଗ୍ୟ କି, ବିଦେଶ ନିର୍ମିତ କିଟର ମୂଲ୍ୟ ୪୫୦୦ ଟଙ୍କା ଥିବାବେଳେ “ମାଇଁଲ୍ୟାବ୍ ଡିସ୍କଭରି ସଲ୍ୟୁସନ୍’ର କୋଭିଡ୍-୧୯ ପରୀକ୍ଷା କିଟ୍ ୧୨୦୦ଟଙ୍କାରେ ମିଳିବ । ଏହାଛଡ଼ା ବିଦେଶ ନିର୍ମିତ କିଟରେ ପରୀକ୍ଷା ଫଳ ବାହାରିବାକୁ ୪ ରୁ ୫ ଘଣ୍ଟା ଲାଗୁଥିବା ବେଳେ ଆମ କିଟରେ ୩ ରୁ ୪ ଘଣ୍ଟା ତାହା ମିଳିପାରିବ ।

ସମ୍ବନ୍ଧିତ ଖବର