ଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

କଲମ୍ବୋ : ଶ୍ରୀଲଙ୍କା ନୌସେନା ନିମନ୍ତେ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ବାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନାର ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

କଲମ୍ବୋ ଏୟାରପୋର୍ଟ ନିକଟସ୍ଥ କାଟୁନାୟକେ ଠାରେ ଥିବା ଶ୍ରୀଲଙ୍କା ବାୟୁସେନା ଘାଟିଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଏସଏନ ଘୋରମେଡ୍ ଶ୍ରୀଲଙ୍କା ନୌସେନାକୁ ଏହି ବିମାନ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଲ ବାଗଲେ ଉପସ୍ଥିତ ଥିଲେ । ଭାରତର ସ୍ବାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏହି ଉପହାର ପ୍ରଦାନ କରାଯାଇଛି । ଏହା ଦ୍ବାରା ଦୁଇ ଦେଶମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବା ଆଶା କରାଯାଉଛି ।

ନିକଟରେ  ଶ୍ରୀଲଙ୍କା ସରକାର ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ତାହା ଭାରତକୁ ଅସନ୍ତୁଷ୍ଟ କରିଥିଲା ।  ଏହି ଜାହାଜ ଆସନ୍ତା ମଙ୍ଗଳବାର (ଅଗଷ୍ଟ ୧୬)ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବ । ଏହି ଜାହାଜରେ ବିଭିନ୍ନ ଗୁପ୍ତଚର ଉପକରଣ ଓ ମିସାଇଲ ଟ୍ରାକିଂ ବ୍ୟବସ୍ଥାଥିବାରୁ ତାହା ଭାରତକୁ ଚିନ୍ତିତ କରିଛି ।

ଅନ୍ୟପକ୍ଷରେ କିଛି ଦିନ ତଳେ ଶ୍ରୀଲଙ୍କା ନୌସେନା ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିବା ସମରାଭ୍ୟାସକୁ ବି ଭାରତ ବିରୋଧ କରିଥିଲା ।

ସମ୍ବନ୍ଧିତ ଖବର