ନିଜର ପକ୍ଷ ରଖିବାକୁ ନିଷିଦ୍ଧ ଚୀନ ଆପଗୁଡ଼ିକୁ ୩ ସପ୍ତାହ ସମୟ ଦେଲେ ସରକାର, ଧରାଇଲେ ଲମ୍ବା ପ୍ରଶ୍ନ ତାଲିକା

 

ନୂଆଦିଲ୍ଲୀ : ଭାରତ ସରକାର ଗତମାସରେ ନିଷିଦ୍ଧ ଚୀନ ମୋବାଇଲ ଆପ କମ୍ପାନିମାନଙ୍କୁ ନିଜ ନିଜର ପକ୍ଷ ରଖିବାକୁ ୩ ସପ୍ତାହ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏସବୁ କମ୍ପାନିଗୁଡ଼ିକୁ ନିଜ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ ପାଇଁ କେତେକ ପ୍ରଶ୍ନ ପଚରାଯାଇଛି । ୩ ସପ୍ତାହ ମଧ୍ୟରେ ଏସବୁ ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ କୁହାଯାଇଛି ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏସବୁ ପ୍ରଶ୍ନ ତାଲିକା ଚୀନ ଆପ କମ୍ପାନିମାନଙ୍କୁ ପ୍ରଦାନ କରାଯାଇଛି । ପଚରାଯାଇଥିବା ପ୍ରଶ୍ନ ଗୁଡ଼ିକ ମଧ୍ୟରେ ରହିଛି ସେମାନଙ୍କ ଆର୍ଥିକ ଓ ପରିଚାଳନାଗତ ଢାଞ୍ଚା, କେଉଁ ଦେଶର କମ୍ପାନି, ଡାଟା ସୁରକ୍ଷା ପଦ୍ଧତି, ସୁରକ୍ଷା ପଦ୍ଧତି ଇତ୍ୟାଦି । ସେମାନଙ୍କ ସ୍ପଷ୍ଟୀକରଣ ଓ ଉତ୍ତରରେ ସନ୍ତୁଷ୍ଟ ହେଲେ ସରକାର ସେମାନଙ୍କ ଉପରୁ ନିଷେଧାଜ୍ଞା ସଂପର୍କରେ ପୁନର୍ବିଚାର କରିପାରନ୍ତି ।

ଏହି ଚୀନ ଆପଗୁଡ଼ିକର ପକ୍ଷ ଶୁଣିବାକୁ ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ଭାରତର କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (ସିଇଆରଟି)ର ବୈଷୟିକ ବିଶେଷଜ୍ଞମାନେ ରହିବେ ।

ସୀମାରେ ଚୀନ ସହ ବିବାଦ ପରେ ଭାରତ ସରକାର ଗତ ଜୁନ ୨୯ରେ ଚୀନର ୫୯ଟି ମୋବାଇଲ ଆପ କମ୍ପାନିକୁ ନିଷିଦ୍ଧ କରିଦେଇଥିଲେ । ସେଗୁଡ଼ିକ ମଧ୍ୟରେ ରହିଛି ଟିକଟକ, ସେୟାରିଟ, ୟୁସି ବ୍ରାଉଜର,ହେଲୋ, କାମସ୍କାନର,ନ୍ୟୁଜଡଗ ଆଦି ।

ସମ୍ବନ୍ଧିତ ଖବର