ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିଛି। ସାଧାରଣରେ ଅର୍ଥନୀତିର କଥା ପରି ମନେହେଉଥିଲେ ବି ଏହା ଭାରତ ସାମର୍ଥ୍ୟକୁ ପ୍ରତିପାଦନ କରୁଛି ବୋଲି ଆଜି ‘ମନ୍ କି ବାତ୍’ର ୮୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତ ଏବଂ ନୂତନ ବଜାରରେ ପହଞ୍ଚୁଛି। କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସଫଳତା ଗୌରବର ବିଷୟ। ସମୟ ଥିଲା ଭାରତର ରପ୍ତାନି ୧୦୦ ବିଲିୟନ୍, ବେଳେ ବେଳେ ୧୫୦ ବିଲିୟନ୍, କଦବା କେତେବେଳେ ୨୦୦ ବିଲିୟନ୍ ଡଲାର୍ ହେଉଥିଲା। ଏବେ ଭାରତର ରପ୍ତାନି ୪୦୦ ବିଲିୟନ୍ ଡଲାର୍ରେ ପହଞ୍ଚିଛି।
ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ତେଣୁ, ନୂଆ ନୂଆ ବଜାରକୁ ଆମର ଉତ୍ପାଦ ରପ୍ତାନି କରିବା ଆବଶ୍ୟକ। ଦେଶର ବିଭିନ୍ନ ପ୍ରାନ୍ତରୁ ନୂଆ ଉତ୍ପାଦ ସବୁ ବିଦେଶରେ ପହଞ୍ଚୁଛି। ଆସାମର ହୈଲାକାଣ୍ଡିର ଚମଡ଼ା ଉତ୍ପାଦ ଅଥବା ଓସ୍ମାନାବାଦର ହସ୍ତତନ୍ତ ଉତ୍ପାଦ, ବିଜାପୁରର ଫଳ ଓ ପନିପରିବା କିଂବା ଚନ୍ଦୌଲିର କଳାଚାଉଳ, ଲଦାଖର ଅଖରୋଟ୍, ତାମିଲନାଡୁର କଦଳୀ, ହିମାଚଳର ବାଜରା ଆଦିର ରପ୍ତାନି ବୃଦ୍ଧି ପାଉଛି।
/sambad/media/post_attachments/wp-content/uploads/2022/03/Export-2.jpg)
ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରି କହିଛନ୍ତି, ଆମ କୃଷକ, ଉତ୍ପାଦନକରୀ ଏବଂ ଶିଳ୍ପର ସାମର୍ଥ୍ୟ ଏବଂ କଠିନ ପରିଶ୍ରମ ଯୋଗୁଁ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ତାଲିକା ବିଶାଳକାୟ ହୋଇପାରିଛି। ପୂର୍ବରୁ ମନେହେଉଥିଲା କେବଳ ବଡ଼ ଲୋକମାନେ ସେମାନଙ୍କ ଉତ୍ପାଦ ସରକାରଙ୍କୁ ବିକ୍ରୟ କରିପାରିବେ। କିନ୍ତୁ, ‘ଜିଇଏମ୍ ପୋର୍ଟାଲ୍’ ସେଭଳି ଭାବନାକୁ ବଦଳାଇ ଦେଇଛି। ଭାରତ ଏବେ ବଡ଼ ବଡ଼ କଥା କଳ୍ପନା କରି ତାହାକୁ ଚରିତାର୍ଥ କରିବାକୁ କାର୍ଯ୍ୟ କରୁଛି।
ପ୍ରତ୍ୟେକ ଭାରତୀୟ ‘ଭୋକାଲ୍ ଫର୍ ଲୋକାଲ୍’ ପାଇଁ ଲାଗିଲେ ‘ଲୋକାଲ୍’ ‘ଗ୍ଲୋବାଲ୍’ ହେବାରେ ବିଳମ୍ବ ହେବନାହିଁ। ‘ଲୋକାଲ୍’କୁ ‘ଗ୍ଲୋବାଲ୍’ରେ ପରିଣତ କରି ଆମ ଉତ୍ପାଦର ମାନ ଆହୁରି ବୃଦ୍ଧି କରନ୍ତୁ। ୬ ବର୍ଷ ତଳେ ଆୟୁର୍ବେଦୀୟ ଔଷଧର ବଜାର ୨୨,୦୦୦ କୋଟି ଥିଲା। କିନ୍ତୁ, ଆଜି ‘ଆୟୁଷ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଇଣ୍ଡଷ୍ଟ୍ରି’ ୧.୪୦ କୋଟି ଟଙ୍କାରେ ପହଞ୍ଚିଲାଣି।
ପ୍ରଧାନମନ୍ତ୍ରୀ କହିଲେ, ନିକଟରେ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ୧୨୬ ବର୍ଷିୟ ବାବା ଶିବାନନ୍ଦଙ୍କ ଶୌର୍ଯ୍ୟ ଏବଂ ସ୍ବାସ୍ଥ୍ୟ ଦେଖି ସମସ୍ତେ ଆଚମ୍ବିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଦେଶରେ ଆଲୋଚ୍ୟ ବିଷୟ ପାଲଟିଛି। ତାଙ୍କର ଯୋଗ ପ୍ରତି ବିଶେଷ ଅନୁରାଗ ରହିଛି।
ଜଳ ସଂରକ୍ଷଣ ପାଇଁ ଆମେ ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବ୍ୟବହୃତ ଜଳ ଗଛବୃଚ୍ଛ ଏବଂ ଅନ୍ୟାନ୍ୟ ବଗିଚା କାର୍ଯ୍ୟରେ ବ୍ୟବହାର କରିବା ଉପରେ ଆମେ ଧ୍ୟାନ ଦେବା ଉଚିତ। ଚାଲନ୍ତୁ, ‘ଜଳ ଯୋଦ୍ଧା’ ହେବାକୁ ପଣ କରିବା ଏବଂ ଜଳ ସଂରକ୍ଷଣକୁ ଆମ ଜୀବନର ‘ମିସନ୍’ରେ ପରିଣତ କରିବା। ପିଲାମାନେ ‘ସ୍ବଚ୍ଛ ଭାରତ ଅଭିଯାନ’କୁ ସଫଳ କରିଛନ୍ତି। ଏବେ ସେମାନେ ଜଳସଂରକ୍ଷଣ କରିବା ନିମନ୍ତେ ‘ଜଳ ଯାଦ୍ଧା’ ହେବାକୁ ଆଗେଇ ଆସିବା ଉଚିତ।
ଏପ୍ରିଲ୍ ମାସରେ ଆମେ ଦୁଇଜଣ ବିଖ୍ୟାତ ବ୍ୟକ୍ତିତ୍ବଙ୍କର ଜୟନ୍ତୀ ପାଳିବା। ଉଭୟ ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି। ସେମାନେ ହେଉଛନ୍ତି ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକର। ପ୍ରଧାନମନ୍ତ୍ରୀ ମୋଦୀ ସାବିତ୍ରୀବାଈ ଫୁଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି।
ଶେଷରେ ପ୍ରଧାନମନ୍ତ୍ରୀ କହିଲେ, ଅନେକ ସଂସ୍କୃତି, ଭାଷା ଏବଂ ଆହାରରେ ଭାରତ ଗୌରବାନ୍ବିତ। ବିବିଧତା ହିଁ ଆମକୁ ଏକତ୍ର କରିଛି।