ଚୀନ ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କଲା ଭାରତ, ମାତ୍ର ୧୫୦ ମିଟର ବ୍ୟବଧାନରେ ଭାରତ-ଚୀନ୍‌ ପୋଷ୍ଟ୍‌

ନୂଆଦିଲ୍ଲୀ: ଗତବର୍ଷ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଗଲୱାନ୍‌ରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ଚୀନ ସହ ମୁକାବିଲା ରଣନୀତି ବଦଳାଇ ଦେଇଛି। କେବଳ ଚୀନ ସେନାର ଅନୁପ୍ରବେଶକୁ ରୋକିବା ନୁହେଁ, ଚୀନର ମୁହଁତୋଡ଼ ଜବାବ ଦେବା ସହିତ ଆବଶ୍ୟକ ପଡ଼ିଲେ କିଛି ଅଞ୍ଚଳ ଅକ୍ତିକାର କରିବା ଯୋଜନା ମଧ୍ୟ ଭାରତୀୟ ସେନା ରଖିଛି। ଏଥିପାଇଁ ଭାରତ ଚୀନ ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କରିଛି। ସେହିଭଳି ବିଭିନ୍ନ ଲଢ଼ୁଆ ବିମାନକୁ ମଧ୍ୟ ଭାରତ ସଜାଗ ରଖିଛି।
ଚୀନ ସୀମାରେ ଭାରତ ବର୍ତ୍ତମାନ ପ୍ରାୟ ୨ ଲକ୍ଷ ଯବାନ ମୁତୟନ କରିଛି। ଗତବର୍ଷ ତୁଳନାରେ ଏଥିରେ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି।

ଅନ୍ୟାନ୍ୟ ସ୍ଥାନରୁ ଯବାନମାନଙ୍କୁ ହଟାଇ ‌ଚୀନ ସୀମାକୁ ପଠାଇଛି ବୋଲି ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି। ଅଧିକ ସୈନ୍ୟ ମୁତୟନ କରିବା ଫଳରେ ଭାରତକୁ ଆକ୍ରମଣ କରିବାର ଅଧିକ ବିକଳ୍ପ ସୁଯୋଗ ମିଳିବ। ଏହାଦ୍ବାରା ହିମାଳୟର ପାର୍ବତ୍ୟାଞ୍ଚଳରେ ଲଢ଼ିବାର କୌଶଳ ସହିତ ଅଧିକ ଭାରତୀୟ ଯବାନ ପରିଚିତ ହୋଇପାରିବେ। କେବଳ ସେତିକି ନୁହେଁ ନିକଟରେ ଭାରତୀୟ ‌ବାୟୁସେନାରେ ସାମିଲ ହୋଇଥିବା ଫ୍ରାନ୍ସର ଲଢ଼ୁଆ ବିମାନ ରାଫେଲ ସହିତ ଅନ୍ୟ ବିମାନକୁ ଭାରତ ଓ ଚୀନ ସୀମାର ୩ଟି ପ୍ରମୁଖ ଅଞ୍ଚଳରେ ରଖାଯାଇଛି।

ମାତ୍ର ୧୫୦ ମିଟର ବ୍ୟବଧାନରେ ଭାରତ-ଚୀନ୍‌ ପୋଷ୍ଟ୍‌

ପୂର୍ବ ଲଦାଖ୍‌ର ସମ୍ବେଦନଶୀଳ ଅଂଚଳ ଦକ୍ଷିଣ ପାଙ୍ଗୋଙ୍ଗ୍‌ ଶିଖରରୁ ଫେବ୍ରୁଆରି ୧୦ରେ ଭାରତ ଓ ଚୀନ୍‌ ସେନା ପଛକୁ ହଟିଥିଲେ। ଫେବ୍ରୁଆରି ୧୧ରେ ଉପଗ୍ରହ ଛବିରୁ ଜଣାପଡ଼ିଛି ଯେ ଏହି ଅଂଚଳରେ ଭାରତ ଓ ଚୀନ୍‌ ସେନାର ପୋଷ୍ଟ୍‌ ମାତ୍ର ୧୫୦ ମିଟର ବ୍ୟବଧାନରେ ରହିଥିଲା। ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ ଏହି ଅଂଚଳରେ ଉଭୟ ସେନା ଖୁବ୍‌ ନିକଟତର ହୋଇଥିଲେ।

ସମ୍ବନ୍ଧିତ ଖବର