ନୂଆଦିଲ୍ଲୀ: ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୧ଦିନ ପୁରିଛି। ଏହି ୧୧ଦିନ ଭିତରେ ୟୁକ୍ରେନର ବିଭିନ୍ନ ସହର ଛାରଖାର ହୋଇଯାଇଥିବା ବେଳେ ଏବେ ଅନ୍ୟ ସହର ଉପରେ ନଜର ପକାଇଛି ରୁଷ। ତେବେ ଏମଧ୍ୟରେ ଭାରତ ସରକାର ୟୁକ୍ରେନରେ ରହୁଥିବା ୧୮,୦୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା‌ରେ ସକ୍ଷମ ହେଉଥିବା ଦେଖାଯାଇଛି। ପ୍ରାୟ ୧୪୦୦୦ ଭାରତୀୟ ସ୍ବଦେଶ ଫେରିଥିବା ବେଳେ ଏବେ ବିଭିନ୍ନ ଦେଶର ସୀମାରେ ଅଟକିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ପଠାଯାଇଛି। ଏଭଳି କାମକୁ ଦେଖି ଭାରତରେ ଥିବା ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡନର ଭାରତର କୂଟନୈତିକ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି।

Advertisment

ସେ କହିଛନ୍ତି ଯେ, ଭାରତରେ ବହୁତ ଭଲ କୂଟନୈତିକ ଅଧିକାରୀ ଅଛନ୍ତି, ସେମାନେ ଜାଣନ୍ତି ଯେ କେଉଁ ପରିସ୍ଥିତିରେ କ’ଣ କରିବ ଦରକାର। ଆମକୁ କେବଳ ୟୁକ୍ରେନ କିମ୍ବା ୟରୋପୀୟ ସଂଘ ପାଇଁ ନୁହେଁ, ଆମ ସମସ୍ତଙ୍କୁ ବିଶ୍ବରେ କେଉଁଠି ବି ରୁଷ-ୟୁକ୍ରେନ ଭଳି ସ୍ଥିତି ଉପୁଜିଲେ ଏହା ବିରୋଧରେ ଠିଆ ହେବାକୁ ପଡିବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଶଂସା କରି କହିଥିଲେ ଯେ, ଆମେ ସଫଳତାର ସହ କୋଭିଡକୁ ପରିଚାଳନା କଲୁ ଏବଂ ବର୍ତ୍ତମାନ ୟୁକ୍ରେନରେ ଉପୁଜିଥିବା ପରିସ୍ଥିତିର ମଧ୍ୟ ପରିଚାଳନା କରୁଛୁ। ଆମ ଲୋକଙ୍କୁ ଆମେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛୁ। ଏପରିକି ବଡ ଦେଶମାନେ ମଧ୍ୟ ଏହା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଭାରତ ସହଜରେ ଏହା କରିପାରିଛି।