ବିଶ୍ୱରେ ସବୁଠାରୁ ଅଧିକ ସୁସ୍ଥତା ହାର ଥିବା ରାଷ୍ଟ୍ର ବନିଲା ଭାରତ, ପଛରେ ଆମେରିକା

ନୂଆଦିଲ୍ଲୀ: ଆମେରିକାକୁ ପଛରେ ପକାଇଲା ଭାରତ। କିଛି ଦିନ ହେବ ଆମେରିକାରେ ସୁସ୍ଥତା ହାର ସବୁଠାରୁ ଅଧିକ ରହୁଥିବା ବେଳେ ଏବେ ଆମେରିକାକୁ ପଛରେ ପକାଇ ଭାରତ ଆଗରେ ପହଞ୍ଚିଛି। ଏବେ ବିଶ୍ୱରେ ସବୁଠାରୁ ଅଧିକ ସୁସ୍ଥତା ହାର ଥିବା ରାଷ୍ଟ୍ର ବନିଛି ଭାରତ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୨ଲକ୍ଷରୁ ଅଧିକ ଲୋକ କରୋନା ମୁକ୍ତ ହୋଇଥିବା ବେଳେ ଆମେରିକାରେ ପ୍ରାୟ ୪୧ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ଅଧିକ ସୁସ୍ଥତା ହାର ପାଇଁ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେଇଛି। ଅଧିକ ପରୀକ୍ଷଣ, ତ୍ୱରିତ ତଦାରଖ ଏବଂ ଟ୍ରାକିଂ ମାଧ୍ୟମରେ ଭାରତ ଏହି ସଫଳତା ହାସଲ କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ଭାରତରେ ସୁସ୍ଥତା ହାର ୭୯.୨୮ପ୍ରତିଶତ ରହିଛି।

ତେବେ ଅଧିକ ପରୀକ୍ଷା ହେତୁ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ଦେଖାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ଏବଂ ଭାରତ ଦ୍ବି୍ତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୬,୮୬,୭୬୯ ନୂତନ କରୋନାଭାଇରସ୍ ରେକର୍ଡ ହୋଇଛି ଏବଂ ଜୁଲାଇ ମଧ୍ୟଭାଗରେ ଏହାର ସକାରାତ୍ମକତା ହାର ୭.୫ପ୍ରତିଶତରୁ ୧୦.୫୮ ପ୍ରତିଶତକୁ ବୃଦ୍ଧି ପାଇଛି।

ଯଦିଓ ଭାରତର ଦୈନିକ ମାମଲା ବିଶ୍ୱରେ ସର୍ବାଧିକ, ତଥାପି ଜନସଂଖ୍ୟା ତୁଳନାରେ ଏହି ସଂଖ୍ୟା ସର୍ବନିମ୍ନ ବୋଲି କେନ୍ଦ୍ର ସରକାର ପୂର୍ବରୁ କହିଥିଲେ। ଭାରତରେ ମୃତ୍ୟୁ ଅପେକ୍ଷାକୃତ କମ୍ ରହିଛି ଏବଂ ଏବେ ମୃତ୍ୟୁହାର ୧.୬୧ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର