ଗୁରୁତର କରୋନା ଆକ୍ରାନ୍ତ ଦିଗରେ ଆମେରିକା ପରେ ଭାରତ: ରିପୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ର ମଧ୍ୟରେ ଆମ ଦେଶ ଭାରତ ହୁଏତ ପଞ୍ଚମ! ଗୁରୁତର କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ଆମେରିକା ପରେ ଭାରତ ରହିଛି ବୋଲି ନିକଟରେ ଏକ ସର୍ଭେରୁ ଜାଣିବାକୁ ମିଳିଛି।

ଗଣମାଧ୍ୟମ ସଂସ୍ଥା ‘ହିନ୍ଦୁସ୍ଥାନ ଟାଇମ୍ସ’ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ଆମେରିକାର ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୩ ‌ହୋଇଥିବା ବେଳେ ଭାରତରେ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୮, ୯୪୪।

ଗତ କିଛି ଦିନ ଭିତରେ ନୂଆ କରୋନା ହଟ୍‌ସ୍ପଟ୍‌ ପାଲଟିଛି ବ୍ରାଜିଲ୍‌। ମାତ୍ର ବ୍ରାଜିଲ୍‌ର ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ଭାରତଠାରୁ କମ୍‌ ରହିଛି। ଭାରତର ସମୁଦାୟ କରୋନା ଆକ୍ରାନ୍ତଙ୍କ ତୁଳନାରେ ବ୍ରାଜିଲ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ତିନି ଗୁଣା। ମାତ୍ର ବ୍ରାଜିଲ୍‌ର ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୮,୩୧୬।

ରୁଷିଆର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତର ଏକ ଚତୁର୍ଥାଂଶ। ସେହିପରି ସ୍ପେନ୍‌, ବ୍ରିଟେନ୍‌, ଜର୍ମାନୀ ଏବଂ ଇଟାଲୀର ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ବି କମ୍‌ ରହିଛି।


The Lancet

ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତରୁ କମ୍‌ ରୋଗୀଙ୍କ ପାଇଁ ଇନ୍‌ଟେନ୍‌ସିଭ୍‌ କେୟାର୍‌ର ଆବଶ୍ୟକତା ରହିଛି। ସେମାନଙ୍କ ମଧ୍ୟରୁ ମାତ୍ର ୨.୨୫ ପ୍ରତିଶତ କୋଭିଡ୍‌ ଆକ୍ରାନ୍ତଙ୍କୁ ଆଇସିୟୁରେ ରଖାଯାଇଛି ଓ ୧.୯୧ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଅଳ୍ପ କିଛି ମାତ୍ର ରୋଗୀଙ୍କୁ ଭେଣ୍ଟିଲେଟର୍‌ ସପୋର୍ଟର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ, ଭାରତରେ କେବଳ ସୋମବାର ୧୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମିଶାଇ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨.୬ ଲକ୍ଷରେ ପହଞ୍ଚିଛି।

 

ସମ୍ବନ୍ଧିତ ଖବର