‘ଭାରତର କିଛି ନିଜର ସମସ୍ୟା ଅଛି’: ବାଇଡେନ୍

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ, ରୁଷ୍‌ ଏବଂ ଚୀନ୍‌ ସମେତ ଅନ୍ୟ କେତେକ ଦେଶର ନେତାମାନଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ‌ନେଇ ରୁଷ୍ ବିରୋଧରେ ଭାରତ କାହିଁକି ମୁହଁ ଖୋଲୁନି? ଏସଂପର୍କରେ ବାଇଡେନ୍‌ଙ୍କର ମତ ହେଉଛି ଯେ ଭାରତର କିଛି ସମସ୍ୟା ରହିଛି। କିନ୍ତୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକଛତ୍ରବାଦ ନେତା କହିବା ବେଳେ ସେହି ପ୍ରସଙ୍ଗ‌ ସହିତ ବାଇଡେନ୍‌ ଭାରତକୁ ଯେଉଁଭଳି ଯୋଡ଼ିଛନ୍ତି ତ‌‌ାହାକୁ ନେଇ ବିବାଦ ଦେଖାଦେଇଛି।

ଚୀନ୍ ବିଷୟରେ ବାଇଡେନ୍ କହିଥିଲେ ଯେ ଭାରତ-ପ୍ରଶାନ୍ତରେ କ୍ବାଡ୍ ମେଣ୍ଟର କାର୍ଯ୍ୟକଳାପ ଚୀନ୍ ବିରୋଧରେ ଯାଉଥିବା ସି ଜିନପିଙ୍ଗ କୁଆଡ଼େ ତାଙ୍କୁ କହିଥିଲେ। ତେବେ ସେ ଏହାକୁ ଖଣ୍ଡନ କରି ଭାରତ-ପ୍ରଶାନ୍ତ କ୍ଷେତ୍ରର ସୁରକ୍ଷା ପାଇଁ କ୍ବାଡ୍‌ ଏକ ମିଳିତ ପ୍ରୟାସ ବୋଲି କହିଥିଲେ।‌ ସେହିଭଳି ପୁଟିନଙ୍କ ବିଷୟରେ ବାଇଡେନ କହିଲେ, ସେ ଯାହା ଚାହୁଛନ୍ତି ତାହା ତାଙ୍କୁ ମିଳିପାରୁନି। ସେ କହିଲେ ଯେ ଏକଚ୍ଛତ୍ରବାଦ ବିରୋଧରେ ସେ କାମ କରୁଛନ୍ତି। ଚୀନ୍ ଏକମାତ୍ର ଦେଶ ନୁହେଁ, ରୁଷ୍ ପରି ‌ଦେଶ ବି ଏକଚ୍ଛତ୍ରବାଦୀ ‌ଅଛନ୍ତି। କିନ୍ତୁ ଭାରତ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଲେ ମଧ୍ୟ ତା’ର କିଛି ନିଜସ୍ବ ସମସ୍ୟା ଅଛି ଯେଉଁଥି ପାଇଁ ସେ ରୁଷିଆର ସଙ୍ଗ ଛାଡ଼ିପାରୁନି। ରୁଷ୍ ବିଷୟରେ କହିଲେ ଯେ ପୁଟିନ ହଠାତ ତାଙ୍କର ସ୍ବରୂପ ଦେଖାଇଛନ୍ତି। ଫିନ୍‌ଲାଣ୍ଡ ସରକାର ତାଙ୍କ ସହ କଥା ହୋଇ ନାଟୋରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାପରେ ସ୍ବିଡେନ୍ ବି ଅନୁରୂପ ଇଚ୍ଛା ପ୍ରକାଶ କରିଛି। ପୁଟିନ ଚାହୁଁଛନ୍ତି ପୂର୍ବତନ ସୋଭିଏତ୍ ରୁଷ୍‌ରୁ ଉଦ୍ଭବ ତଥା ପଡ଼ୋଶୀ ଦେଶଗୁଡ଼ିକ ନାଟୋରେ ନ ମିଶନ୍ତୁ।

ସମ୍ବନ୍ଧିତ ଖବର