ଚୀନ ମାନିଲା.. ପାର୍ବତ୍ୟ ଯୁଦ୍ଧରେ ଭାରତୀୟ ସେନାକୁ ଆମେରିକା, ଋଷିଆ ବି ଜିତିପାରିବେ ନାହିଁ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଭାରତର ସୈନ୍ୟଶକ୍ତିକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି ଚୀନ । ଚୀନ ମାନିଛି ଯେ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଭାରତୀୟ ସେନା ହିଁ ବିଶ୍ୱରେ ସବୁଠାରୁ ଦୁର୍ଦ୍ଧଷ ଶକ୍ତି । ଏହାର ମୁକାବିଲା ଆମେରିକା, ଋଷିଆର ସୈନ୍ୟମାନେ ବି କରିପାରିବେ ନାହିଁ ।

ଚୀନ ସରକାରଙ୍କ ଅଧିନସ୍ଥ ସର୍ବବୃହତ ମିଲିଟାରୀ ଉପକରଣ ନିର୍ମାଣକାରୀ ସଂସ୍ଥା ଚାଇନା ନର୍ଥ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ନରିନକୋ) । ଏହି ସଂସ୍ଥା ସହ ସମ୍ବନ୍ଧିତ ସାମରିକ ପତ୍ରିତା ମଡର୍ଣ୍ଣ ଓ୍ଵିପନାରୀ ମାଗାଜିନର ସଂପାଦକ ହୁଆଙ୍ଗ ଗୋଝିଙ୍କ ଲିଖିତ ଏକ ରିପୋର୍ଟରେ କୁହାଯାଇଛି ଯେ ହିମାଳୟ ପରି ଉଚ୍ଚ ପର୍ବତରେ ଯୁଦ୍ଧ କରିବା କ୍ଷେତ୍ରରେ ଭାରତୀୟ ସେନାର ସମକକ୍ଷ ସମଗ୍ର ବିଶ୍ୱରେ କେହି ନାହାନ୍ତି । ହିମାଳୟରେ ଲଢିବାର ବର୍ଷ ବର୍ଷର ଅଭିଜ୍ଞତା ଓ ଉନ୍ନତ ରଣକୌଶଳ ଭାରତୀୟ ସେନାକୁ ଏପରି ଦୁର୍ଦ୍ଧଷ କରିଛି ।

କଶ୍ମୀରର  ଗୁଲମାର୍ଗଠାରେ ଭାରତୀୟ ସେନାଙ୍କ ତାଲିମ ପାଇଁ ଥିବା ହାଇ ଆଲଟିଟ୍ୟୁଡ ଓ୍ଵାରଫେୟାର ସ୍କୁଲ (ହାଓସ) ହେଉଛି ବିଶ୍ୱର ସବୁ ଉନ୍ନତ ପାର୍ବତ୍ୟ ଯୁଦ୍ଧ ତାଲିମ କେନ୍ଦ୍ର । ଏପରିକି ଆମେରିକା, ବ୍ରିଟେନ ଓ ଋଷିଆର କମାଣ୍ଡୋମାନେ ଏଠାରେ ତାଲିମ ନିଅନ୍ତି । ଆଫଗାନିସ୍ତାନରେ ଲଢିବା ପୂର୍ବରୁ ଆମେରିକାର ସ୍ପେଶାଲ ଫୋର୍ସେସ ଏଠାରେ ସ୍ୱତନ୍ତ୍ର ତାଲିମ ନେଇଥିଲେ ।

ଏହା ସହିତ କିଛି ବର୍ଷ ପୂର୍ବରେ ଭାରତ ସେନା ଅଧିନରେ ଗଠନ କରାଯାଇଥିବା ମାଉଣ୍ଟେନ ଷ୍ଟ୍ରାଇକ କର୍ପସ୍‌ ( ପର୍ବତ ଯୁଦ୍ଧ ବାହିନୀ)ରେ ୫୦ ହଜାର ଲଢୁଆ କମାଣ୍ଡୋ ରହିଛନ୍ତି । ସମସ୍ତେ ପାହାଡ଼ ପର୍ବତ ଚଢିବାରେ ପାରଙ୍ଗମ । ଉତ୍ତମ ତାଲିମ, ଅଭିଜ୍ଞତା ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏହି ବାହିନୀକୁ ଅଜେୟ ଗଢିତୋଲିଛି । ଏହାର ମୁକାବିଲା ବିଶ୍ୱରେ କୌଣସି ସାମରିକ ଶକ୍ତି କରିପାରିବେ ନାହିଁ । ସବୁବେଳେ ନିଜ ସେନାର ଶକ୍ତି ପ୍ରଚାର କରି ଶତ୍ରୁକୁ ଭୟଭୀତ କରୁଥିବା ଚୀନଠାରୁ ଭାରତୀୟ ସେନାର ଏହି ପ୍ରସଂଶାର ବେଶ ମୂଲ୍ୟ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର