ପୂର୍ବ ଲଦାଖର ୨୬ ପାଟ୍ରୋଲ ପଏଣ୍ଟ୍‌ରେ ଦଖଲ ହରାଇଛି ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ୬୫ରୁ ୨୬ଟି ପାଟ୍ରୋଲ ପଏଣ୍ଟ୍‌ (ପିପି)ରେ ଭାରତ ତା’ର ଦଖଲ ହରାଇଛି ବୋଲି ଜନୈକ ବରିଷ୍ଠ ପୁଲିସ ଅଧିକାରୀ ଏକ ରିପୋର୍ଟରେ କହିଛନ୍ତି। ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଡିଜିପି-ଆଇଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଥିଲା।

ଲଦାଖର ମୁଖ୍ୟ ସହର ଲେହର ପୁଲିସ ଏସ୍‌ପି ପିଡି ନିତ୍ୟ ଏହି ରିପୋର୍ଟରେ‌ ଲେଖିଛନ୍ତି- କାରାକୋରମ ପାସ୍‌ଠାରୁ ଚୁମୁର ପର୍ଯ୍ୟନ୍ତ ୬୫ଟି ପିପି (ପାଟ୍ରୋଲିଂ ପଏଣ୍ଟ) ଅଛି। ଏଥିରେ ଆଇଏସ୍‌ଏଫ୍‌ (ଭାରତୀୟ ସୁରକ୍ଷା ବଳ)ର ଯବାନମାନେ ପାଟ୍ରୋଲିଂ କରନ୍ତି। କିନ୍ତୁ ସୀମିତ ପାଟ୍ରୋଲିଂ କରିବା ବା ମୋଟେ ପାଟ୍ରୋଲିଂ ନ କରିବା ଯୋଗୁ ଭାରତ ଏଥିରୁ ୨୬ଟି ପିପି ଉପରୁ ଦଖଲ ହରାଇଛି। ପରେ ଚୀନ୍ କହୁଛି, ଏହିସବୁ ପିପିରେ ଯେହେତୁ ଦୀର୍ଘଦିନ ଧରି ସାଧାରଣ ନାଗରିକ ବା ଭାରତୀୟ ଯବାନଙ୍କ ଉପସ୍ଥିତି ନ ଥିଲା, ଏଠାରେ ଚୀନାମାନେ ଉପସ୍ଥିତ ଥିଲେ ବୋଲି ଭାରତ ମାନିଯାଉ। ଏହାଦ୍ବାରା ସୀମାରେଖା ଭାରତ ଆଡ଼କୁ ଘୁଞ୍ଚିବାର ସମ୍ଭାବନା ରହିଛି। ଏଥି ସହ ଅଣ-ପାଟ୍ରୋଲିଂ ଅଞ୍ଚଳରେ ଏକ ବଫର ଜୋନ ସୃଷ୍ଟି ହୋଇଯାଇଛି। ଏହିସବୁ ଅଞ୍ଚଳରେ ଭାରତ ତା’ର ନିୟନ୍ତ୍ରଣ ହରାଇଛି।

ସମ୍ବନ୍ଧିତ ଖବର