ଆମେରିକାଠାରୁ ଭାରତରେ ଦୈନିକ ସଂକ୍ରମଣ ଅଧିକ, ମୃତ୍ୟୁସଂଖ୍ୟା ୫୦ ହଜାର ଛୁଇଁବ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୩ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୨୫ ଲକ୍ଷ ୮୯ ହଜାରରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା, ବ୍ରାଜିଲ୍‌ ପରେ ବିଶ୍ବରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ଭାରତ। ତେବେ ଲଗାତାର ୧୨ ଦିନ ଧରି ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ ଭାରତରେ ଦୈନିକ ସଂକ୍ରମଣ ମାମଲା ଅଧିକ ରହୁଛି। ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ରିପୋର୍ଟ‌୍‌ରୁ ଏହା ଜଣାପଡ଼ିଛି। ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ସବୁଠୁ ଅଧିକ ରହିଛି। ଆମେରିକାରେ ସଂକ୍ରମଣ ମାମଲା ୫୫ ଲକ୍ଷ ଟପିଥିବାବେଳେ ବ୍ରାଜିଲ୍‌ରେ ୩୩ ଲକ୍ଷ ଟପିଛି। ତେବେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ସଂକ୍ରମଣ ମାମଲା ଅଧିକ ଥିଲେ ମଧ୍ୟ ଆରୋଗ୍ୟ ହାର ଅଧିକ ରହିଛି। ଦେଶରେ ଆରୋଗ୍ୟ ହାର ୭୧.୯୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି କରୋନା ପଜିଟିଭ୍‌ ହାର ୮.୫୦ ପ୍ରତିଶତ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା‌ ମଧ୍ୟରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି।

ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରରେ ୧ ଲକ୍ଷ ୫୬ ହଜାର ୭୧୯ ସକ୍ରିୟ ମାମଲା ଥିବାବେଳେ ଆନ୍ଧ୍ରପ୍ରଦେଶରେ ୮୮ ହଜାର ୧୩୮ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୬୩ ୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୯୪୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୫୦ ହଜାର ପହଞ୍ଚିବ। ତେବେ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୯ ହଜାର ୯୮୦ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ରହିଛି ୬ ଲକ୍ଷ ୭୭ ହଜାର ୪୪୪। ୧୮ ଲକ୍ଷ ୬୨ ହଜାର ୨୫୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଇସିଏମ୍‌ଆର ଅନୁଯାୟୀ ଗତକାଲି ୭ ଲକ୍ଷ ୪୬ ହଜାର ୬୦୮ କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଦୈନିକ ଟେଷ୍ଟିଂ ବଢ଼ୁଥିବାବେଳେ ଦେଶରେ ମୋଟ୍‌ ଟେଷ୍ଟିଂ ସଂଖ୍ୟା ୩ କୋଟିରେ ପହଞ୍ଚିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି କୁହାଯାଇଛି ଯେ, ଭାରତରେ କୋଭିଡ୍‌ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌ ରହିଛି ଏବଂ ସମଗ୍ର ବିଶ୍ବରେ ଭାରତର କୋଭିଡ୍‌ ମୃତ୍ୟୁହାର ସବୁଠୁ କମ୍‌। ଆମେରିକାରେ କୋଭିଡ୍‌ ମୃତ୍ୟୁ ୫୦ ହଜାର ପହଞ୍ଚିବାପାଇଁ ୨୩ ଦିନ ଲାଗିଥିଲା। ବ୍ରାଜିଲ୍‌ରେ ୯୫ ଦିନ ଏବଂ ଭାରତରେ କୋଭିଡ୍‌ ମୃତ୍ୟୁ ୫୦ ହଜାର ପହଞ୍ଚିବାପାଇଁ ୧୫୬ ଦିନ ଲାଗିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର