ବିଶ୍ବର ୧୦୦ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ଭାରତର ଗୋଟିଏ ବି ନାହିଁ

ନୂଆଦିଲ୍ଲୀ: ଭାରତରେ ମାଳ ମାଳ ବିଶ୍ବବିଦ୍ୟାଳୟ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଡିମ୍‌ଡ ବିଶ୍ବବିଦ୍ୟାଳୟ ଆଦିକୁ ମିଶାଇଲେ ପ୍ରାୟ ୧୦୦୦ରୁ ଅଧିକ ବିଶ୍ବବିଦ୍ୟାଳୟ ରହିଛି। କିନ୍ତୁ ବିଶ୍ବର ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ କୌଣସି ଗୋଟିଏ ବିଶ୍ବବିଦ୍ୟାଳୟ ସ୍ଥାନ ପାଇନାହିଁ। କ୍ବାକ୍ବାରେଲି ସାଇମଣ୍ଡସ୍(କ୍ୟୁଏସ୍‌) ବିଶ୍ବ ବିଶ୍ବବିଦ୍ୟାଳୟ ପାହ୍ୟା ୨୦୨୧ ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ଭାରତର ପ୍ରଦର୍ଶନ ଭଲନାହିଁ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଶ୍ବର ଶ୍ରେଷ୍ଠ ୧୦୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଭାରତର କୌଣସି ଗୋଟିଏ ବିଶ୍ବବିଦ୍ୟାଳୟ ନାହିଁ। ତେବେ ଆଇଆଇଟି ବମ୍ବେ, ଆଇଆଇଏସ ବେଙ୍ଗାଲୁରୁ ଓ ଆଇଆଇଟି ଦିଲ୍ଲୀ ବିଶ୍ବ ୨୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି।

ବିଶ୍ବର ‌ଶ୍ରେଷ୍ଠ ୧୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଆମେରିକା, ବ୍ରିଟେନର ୯ଟି ଥିବାବେଳେ ସ୍ବିଜରଲ୍ୟାଣ୍ଡ୍‌ର ଗୋଟିଏ ରହିଛି। ବିଶ୍ବରେ ଆମେରିକାର ମା‌ସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ପ୍ରଥମ ସ୍ଥାନରେ ରହିଥିବାବେଳେ ଷ୍ଟାନଫୋର୍ଡ ଓ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ପ୍ରମୁଖ ୧୦ଟି ବିଶ୍ବବିଦ୍ୟାଳୟ ତାଲିକାରେ ୮ଟି ସ୍ଥାନ ଆଇଆଇଟି ମାଡ଼ି ବସିଛନ୍ତି। କେବଳ ଗୋଟିଏ ମାତ୍ର ବିଶ୍ବବିଦ୍ୟାଳୟ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଭାରତର ପ୍ରମୁଖ ୧୦ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି। ଯାଦବପୁର ବିଶ୍ବବିଦ୍ୟାଳୟ ଏକାଦଶ ସ୍ଥାନରେ ରହିଛି। ତେବେ ବିଶ୍ବର ପ୍ରମୁଖ ୨୦୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଆଇଆଇଟି ବମ୍ବେ, ଆଇଆଇଏସ୍‌ସି ବେଙ୍ଗାଲୁରୁ ଓ ଆଇଆଇଟି ଦିଲ୍ଲୀ ରହିଛନ୍ତି। କିନ୍ତୁ ୨୦୨୦ ତୁଳନାରେ ୨୦୨୧ରେ ଏସବୁ ପ୍ରତିଷ୍ଠାନର ପାହ୍ୟା ତଳକୁ ଖସିଛି। ଆଇଆଇଟି ବମ୍ବେ ୨୦ ପାହ୍ୟା ତଳକୁ ଖସି ୧୭୨ତମ, ଆଇଆଇଏସସି ବେଙ୍ଗାଲୁରୁ ଗୋଟିଏ ପାହ୍ୟା ତଳକୁ ଖସି ୧୮୫ତମ ଓ ଆଇଆଇଟି ଦିଲ୍ଲୀ ୧୧ଟି ପାହ୍ୟା ତଳକୁ ଖସି ୧୯୩ତମ ସ୍ଥାନରେ ରହିଛନ୍ତି। ବିଶ୍ବ ପାହ୍ୟାକୁ ବିଚାରକୁ ନେଲେ ଆଇଆଇଟି ବମ୍ବେ ୧୭୨, ଆଇଆଇଏସସି ‌ବେଙ୍ଗାଲୁରୁ ୧୮୫, ଆଇଆଇଟି ଦିଲ୍ଲୀ ୧୯୩, ଆଇଆଇଟି ମାଡ୍ରାସ ୨୭୫, ଆଇଆଇଟି ଖଡ଼ଗପୁର ୩୧୪, ଆଇଆଇଟି କାନପୁର ୩୫୦, ଆଇଆଇଟି ରୁର୍କି ୩୮୩, ଆଇଆଇଟି ଗୌହାଟି ୪୭୦, ଦିଲ୍ଲୀ ବିଶ୍ବବିଦ୍ୟାଳୟ ୫୦୧ ଏବଂ ଆଇଆଇଟି ହାଇଦ୍ରାବାଦ ୬୫୧ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର