ନୂଆଦିଲ୍ଲୀ : ସ୍ବିଜରଲ୍ୟାଣ୍ଡ୍ର ଜେନେଭାଠାରେ ଆରମ୍ଭ ହୋଇଥିବା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେଇ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକର ସ୍ବାର୍ଥ ବିଷୟରେ ସ୍ବର ଉତ୍ତୋଳନ କରିଛନ୍ତି। ଡବ୍ଲୁଟିଓରେ ଅଣାଯିବାକୁ ଥିବା ସଂସ୍କାର ପ୍ରତି ଧ୍ୟାନ ଦିଆଯାଉନଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ପୂର୍ବରୁ ଯେଭଳି ସ୍ବତନ୍ତ୍ର ଓ ଭିନ୍ନ ଟ୍ରିଟ୍ମେଣ୍ଟ୍ (ଏସ୍ଆଣ୍ଡ୍ଡିଟି)ର ବ୍ୟବସ୍ଥା ଥିଲା ତାହା ଜାରି ରହୁ ବୋଲି ଭାରତ ଚାହୁଛି। ଏଥି ସହିତ କୋଭିଡ୍ ଟିକାକରଣରେ ସାରା ବିଶ୍ବରେ ରହିଥିବା ଅସମାନତା ଓ ଖାଦ୍ୟଶସ୍ୟର ଗଚ୍ଛିତ ଭଣ୍ଡାରର ସ୍ଥାୟୀ ସମାଧାନ ସମ୍ପର୍କରେ ସେ ଆଲୋଚନା କରିଛନ୍ତି।
ଶ୍ରୀ ଗୋୟଲ କହିଛନ୍ତି ଯେ ବିକାଶଶୀଳ ଦେଶଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ବିକାଶିତ ଦେଶଗୁଡ଼ିକର ଜିଡିପି ୨୦ରୁ ୫୦ ଗୁଣା ଅଧିକ। ଭାରତ ଏ କ୍ଷେତ୍ରରେ ନିମ୍ନରେ ରହି ୧୪୦ କୋଟି ଲୋକଙ୍କ ଦାୟିତ୍ବ ନେଉଛି। ମତ୍ସ୍ୟଚାଷ ସବ୍ସିଡି, ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ସହିତ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି।