ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦ ପ୍ରଥମ କମିଟି ବୈଠକରେ ପାକିସ୍ତାନ ଜମ୍ମୁ କାଶ୍ମୀର ପ୍ରସଙ୍ଗ ନିକଟରେ ଉଠାଇଥିଲା। ଜାତିସଂଘ ପାଇଁ ନିଯୁକ୍ତ ପାକିସ୍ତାନର ପ୍ରତିନିଧି ମୁନିର ଆକ୍ରମ ଏହି ପ୍ରସଙ୍ଗ ଉଠାଇଥିଲେ। ସୋମବାର ଏହାର ଉତ୍ତରରେ ଜାତିସଂଘରେ ଅବସ୍ଥାପିତ ଭାରତର କାଉନସେଲର ଏ ଅମରନାଥ କହିଛନ୍ତି, କାଶ୍ମୀର ସବୁଦିନେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଏବଂ ରହିବ। ଏପରିକି ପାକିସ୍ତାନ ବେଆଇନ ଭାବେ ନିଜ ଅଧୀନରେ ରଖିଥିବା ଅଞ୍ଚଳ ମଧ୍ୟ ଏଥିରେ ରହିଛି। ତୁରନ୍ତ ଏହାକୁ ଖାଲି କରିବାକୁ ଆମେ ପାକିସ୍ତାନକୁ ଆହ୍ବାନ କରୁଛି ବୋଲି ସେ କହିଛନ୍ତି।
ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସକ୍ରିୟତାର ସହିତ ସମର୍ଥନ କରିବା ସହିତ ଲାଳନପାଳନ କରୁଛି। ତେଣୁ ଏଭଳି ଦେଶଠାରୁ କିଭଳି ଗଠନମୂଳକ ଅବଦାନ ଆଶା କରାଯାଇ ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ପାକିସ୍ତାନ ପ୍ରତିନିଧି ଭାରତର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସଂପର୍କରେ ଦେଖିଥିବା ବିବୃତି ଉପରେ ମଧ୍ୟ ଭାରତ ପ୍ରତିକ୍ରିୟା ରଖିଛି। ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି, ଭାରତ ଏକ ଦାୟିତ୍ବସଂପନ୍ନ ରାଷ୍ଟ୍ର। ଅନ୍ତର୍ଜାତୀୟ ରାଜିନାମାକୁ ଏହା ଅକ୍ଷରେ ଅକ୍ଷରେ ପାଳନ କରୁଛି। ଆଣବିକ ସାମଗ୍ରୀ ଏବଂ ପ୍ରଯୁକ୍ତିକୁ ଚୋରାରେ ରପ୍ତାନି କରୁଥିବା ନେଇ ଟ୍ରାକ ରେକର୍ଡ ଥିବା ଏକ ଦେଶଠାରୁ ଭାରତ ଏ ନେଇ ଉପଦେଶ ଆବଶ୍ୟକ କରେନାହିଁ। ପାକିସ୍ତାନ ମିଛର ପ୍ରଚାର ପ୍ରସାର ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଏ। ବିଭିନ୍ନ ବହୁପାକ୍ଷିକ ଫୋରମର ପବିତ୍ରତାକୁ ନଷ୍ଟ କରୁଥିବାରୁ ଏହି ଦେଶକୁ ସମସ୍ତେ ମିଶି ନିନ୍ଦା କରିବା ଆବଶ୍ୟକ ବୋଲି ଅମରନାଥ କହିଛନ୍ତି।
ଭାରତ ବିରୋଧରେ ପାକିସ୍ତାନ ଏକାଧିକ ଥର ମିଛ ଏବଂ ଭିତ୍ତିହୀନ ଅଭିଯୋଗ ଆଣିଛି। ଏପରିକି କାଶ୍ମୀର ଏବଂ ଲଦାଖ ପ୍ରସଙ୍ଗରେ ଅନେକ କଥା କହିଛି। କିନ୍ତୁ ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏସବୁ ଉପରେ ଉତ୍ତର ରଖିବାର ଆବଶ୍ୟକତା ନାହିଁ। ବିଶ୍ବ ଆତଙ୍କବାଦର କେନ୍ଦ୍ରବିନ୍ଦୁ ପାକିସ୍ତାନ। ବିଶ୍ବରେ ପାକିସ୍ତାନ ଏକ ବଡ଼ ଅସ୍ଥିରତା ସୃଷ୍ଟିକାରୀ ଶକ୍ତି। ଏଥିସହିତ ବାରମ୍ବାର ଏହା ସୀମାପାର ଆତଙ୍କବାଦ କାର୍ଯ୍ୟରେ ସାମିଲ ରହିଛି ବୋଲି ଅମରନାଥ କହିଛନ୍ତି। ଜାତିସଂଘର ନୀତି ପ୍ରତି ଏମାନଙ୍କର କୌଣସି ସମ୍ମାନ ନାହିଁ। ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଏଠାରେ ଶାନ୍ତି ଓ ନିରାପତ୍ତା କଥା କହୁଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓସମା ବିନ୍ ଲାଡ଼େନଙ୍କ ଭଳି ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ସହିଦ ଆଖ୍ୟା ଦେଉଛନ୍ତି। ଏହି ଦେଶର ଦୋମୁହାଁ ନୀତି ବିଷୟରେ ଆଉ କ’ଣ ବଡ଼ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସେ ପଚାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/unitied-state.jpg)