ନୂଆଦିଲ୍ଳୀ: ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଇଛି ଭାରତ । ସାମୁଦ୍ରିକ ସୀମାରେ ଗ୍ରୀକ୍ ସେନା ସହ ମିଶି ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିଛି । ଏହାକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ୍ ‘ରେ ଫଟୋ ସେୟାର କରିଛି ଭାରତୀୟ ସେନା । ଗତ ଜୁଲାଇ ୧୦ ତାରିଖରେ ଭାରତୀୟ ନୌସେନାର ତରକଶ ଓ ଗ୍ରୀସ ନୌସେନା ଫ୍ରିଗେଟ୍ ମିଳିତ ଭାବରେ ଯୁଦ୍ଧାଭ୍ୟାସ କରିଛି ।
ଦୁଇଦେଶ ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଯୁଦ୍ଧାଭ୍ୟାସ କରାଯାଇଛି । ତୁର୍କୀ ଓ ପାକିସ୍ତାନର ମିଳିତ ଯୁଦ୍ଧାଭ୍ୟାସ ପରେ ଭାରତ ଓ ଗ୍ରୀସ୍ ନୌସେନା ପକ୍ଷରୁ ଏହି ମିଳିତ ଯୁଦ୍ଧାଭ୍ୟାସ କରାଯାଇଛି । ପାକିସ୍ତାନ ସହ ମିଶି ତୁର୍କୀ ସମୁଦ୍ରରେ ସୀମା ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ନେଇ ଅନୁମାନ କରୁଛନ୍ତି ପ୍ରତିରକ୍ଷା ସମୀକ୍ଷକ । ଏଭଳି ସ୍ଥିତିରେ ସହଯୋଗୀ ଦେଶଗୁଡ଼ିକ ସହିତ ମିଶି ଭାରତ ସାମୁଦ୍ରିକ ସୀମାରେ ଯୁଦ୍ଧାଭ୍ୟାସ କରୁଥିବା ନେଇ ଆକଳନ କରାଯାଉଛି ।
ଗ୍ରୀକ୍ ଟାଇମ୍ସର ରିପୋର୍ଟ ମୁତାବକ ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିବା ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ସୁଦୃଢ଼ କରିବ । ଏହା ଅନ୍ତର୍ଜାତୀୟ ଜଳସୀମାରେ ଗ୍ରୀସ୍ ନୌସେନାର ଉପସ୍ଥିତିକୁ ବି ଦର୍ଶାଉଛି । ଦୁଇ ମିତ୍ରଦେଶର ନୌସେନା ଜାହଜ ପାଖାପାଖି ହେଲେ ଏଭଳି ଯୁଦ୍ଧାଭ୍ୟାସ କରାଯାଇଛି । ଗତ ୨୦୨୩ରେ ଗ୍ରୀସ୍ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଗ୍ରୀସ ଓ ଭାରତର ସାମରିକ ସମ୍ପର୍କ ସୁଦୃଢ଼ ହୋଇଛି । ଏଥିରେ ଉଭୟ ମିତ୍ର ଦେଶର ଅବଦାନ ରହିଛି ।
ତୁର୍କୀ ସହିତ ଏଜିୟନ ଦ୍ୱୀପ ସମୂହକୁ ନେଇ ଗ୍ରୀସର ବିବାଦ ରହିଛି । ଏହି ଦ୍ୱୀପ ଉପରେ ଉଭୟ ଗ୍ରୀସ ଓ ତୁର୍କୀ ଅଧିକାର ଜାହିର କରି ଆସୁଛନ୍ତି । ଏଭଳି ସ୍ଥିତିରେ ଭାରତ ସହ ଗ୍ରୀସର ସାମରିକ ଅଭ୍ୟାସ ତୁର୍କୀ ପାଇଁ ଏକ ଝଟକା ସାବ୍ୟସ୍ତ ହୋଇଥିବ ନିଶ୍ଚୟ । ଖାଲି ତୁର୍କୀ ନୁହେଁ ପାକିସ୍ତାନକୁ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା କୁହାଯାଉଛି । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲା ସମର୍ଥନ କରିଥିଲା ତୁର୍କୀ । ଖାଲି ସମର୍ଥନ ନୁହେଁ, ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବି ଯୋଗାଇ ଦେଇଥିଲା ତୁର୍କୀ । ନିକଟରେ ପାକିସ୍ତାନ ମିଶି ସାମୁଦ୍ରିକ ସୀମାରେ ଯୁଦ୍ଧାଭ୍ୟାସ କରିଥିଲା ତୁର୍କୀ ।