ସୀମାରେ ଶକ୍ତି ବଢ଼ାଇଲା ଭାରତ, ହିନ୍ଦୀ-ଚୀନୀ ବାଏ ବାଏ

ନୂଆଦିଲ୍ଲୀ: ଗଲୱାନ୍‌ ଘାଟିରେ ସଂଘର୍ଷ ପରେ ଭାରତ ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ନିଜର ଶକ୍ତି ବଢ଼ାଇଛି ଏବଂ ବ୍ୟାପକ ଯୁଦ୍ଧାସ୍ତ୍ର ପରିବହନ ମଧ୍ୟ ଆରମ୍ଭ ହୋଇଯାଇଛି। ଚୀନ୍‌ ସୀମା ସଂଲଗ୍ନ ପ୍ରାୟ ୩,୫୦୦ କିମି ବାସ୍ତବ ସୀମା ନିକଟରେ ଭାରତୀୟ ସ୍ଥଳ ସେନା ଏବଂ ବାୟୁସେନାର ଆଗୁଆ ଘାଟିଗୁଡ଼ିକ ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି। ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଏବେ ହାଇ ଆଲର୍ଟରେ ଅଛନ୍ତି। ଭାରତୀୟ ମହାସାଗର ଅଞ୍ଚଳରେ ଭାରତୀୟ ନୌସେନା ଏହାର ସତର୍କ ନଜର ବଢ଼ାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍‌ ବିପିଏନ୍ ରାୱତ ଏବଂ ‌୩ ସେନା ମୁଖ୍ୟଙ୍କ ମଧ୍ୟରେ ବୈଠକ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଲଦାଖ୍‌ ସ୍ଥିତ ଏଲ୍‌ଏସିର ପ୍ରମୁଖ ଆଗୁଆ ଘାଟି ନିକଟରେ ଭାରତୀୟ ସ୍ଥଳ ସେନା ଅତିରିକ୍ତ ସୈନ୍ୟ ମୁତୟନ କରିସାରିଛି ଏବଂ ଅସ୍ତ୍ର ମଧ୍ୟ ଠୁଳ କରୁଛି। ସେହିପରି ବାସ୍ତବ ସୀମା ରେଖା, ଏଲଏସି ଉପରେ କଡ଼ା ନଜର ରଖିବାପାଇଁ ଭାରତୀୟ ବାୟୁସେନା ଆଗୁଆ ଘାଟିଗୁଡ଼ିକରେ ଏହାର ସତର୍କତା ପଦକ୍ଷେପ ବଢ଼ାଇ ସାରିଛି। ମିଳିଥିବା ସୂଚନାନୁଯାୟୀ ଚୀନ୍‌ ନୌସେନାକୁ ଏକ କଡ଼ା‌ ବାର୍ତ୍ତା ଦେବାପାାଇଁ ଭାରତୀୟ ନୌସେନା ଭାରତୀୟ ମହାସାଗର ଅଞ୍ଚଳରେ ଏହାର ମୁତୟନ ବୃଦ୍ଧି କରିବ। ଚୀନ୍‌ ସହ ବିବାଦ ବଢ଼ିବାପରେ ସରକାର ସେନାବାହିନୀକୁ ଜରୁରୀ ସ୍ଥିତିରେ ଯୁଦ୍ଧାସ୍ତ୍ର କିଣିବାପାଇଁ ମଧ୍ୟ କ୍ଷମତା ପ୍ରଦାନ କରିଛନ୍ତି। ତେବେ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଜାରି ରହିଥିଲେ ମଧ୍ୟ ସୋମବାର ହିଂସା ପରଠାରୁ ଭାରର ନିଜର ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛି। ସିଡିଏସ୍‌ ରାୱତ୍‌ ୩ ସେନାକୁ କେତେକ ଜରୁରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭାରତୀୟ ବାୟୁସେନା ମଧ୍ୟ ଆଗୁଆ ଘାଟି ନିକଟରେ ଯୁଦ୍ଧ ବିମାନ ରଖିଛି। ସମଗ୍ରୀ ଚୀନ୍‌ ସୀମାରେ ମଧ୍ୟ ସେନା ମୁତୟନ ବଢ଼ାଇବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ଜଣାପଡ଼ିଛି।

ହିନ୍ଦୀ-ଚୀନୀ ବାଏ ବାଏ
ନୂଆଦିଲ୍ଲୀ: ଚୀନକୁ ଭାରତୀୟମାନେ ଆଉ ବିଶ୍ବାସ କରିପାରୁନାହାନ୍ତି। ଗଲୱାନ ଘାଟିରେ ସୋମବାର ରାତିରେ ଚୀନ ସେନା ଯେଭଳି ବର୍ବରତାର ଖେଳ ଖେଳିଛି ସେଥିରୁ ତାହାର ଅସଲ ଚେହେରା ପଦାରେ ପଡ଼ିଯାଇଛି। ଭାରତ ସହିତ ଚୀନର ବାଣିଜ୍ୟିକ, କୂଟନୈତିକ ଏବଂ ରାଜନୈତିକ ସଂପର୍କ ଗତ କିଛି ବର୍ଷ ହେଲା ଠିକ୍‌ ଥିଲା। ଭାରତରେ ଚୀନ କମ୍ପାନି ସେମାନଙ୍କର ସାମଗ୍ରୀକୁ ଛାଇ ଦେଇଥିଲେ। କିନ୍ତୁ ୨୦୧୭ର ଡୋକଲାମ ବିବାଦ ପରେ ଚୀନ ବିରୋଧରେ ଭାରତୀୟମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଲେ। ଚୀନ ସାମଗ୍ରୀକୁ ବର୍ଜନ କରି ଅର୍ଥନୈତିକ ଦ‌ୃଷ୍ଟିରୁ ଏହି ଦେଶକୁ କୋଣଠେସା କରିଲେ ହିଁ ତା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭାରତୀୟମାନେ ମତ ଦେଲେ। ପୂର୍ବରୁ ହିନ୍ଦୀ-ଚୀନୀ ଭାଇ ଭାଇ ସ୍ଲୋଗାନ ଚାଲିଥିବା‌ବେଳେ ଧୀରେ ଧୀରେ ଏହା ବଦଳିଯାଇଥିଲା। ହିନ୍ଦୀ-ଚୀନୀ ବାଏ ବାଏ ଅଧିକାଂଶଙ୍କ ମୁହଁରେ ଶୁଣିବାକୁ ମିଳିଲା। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହାର ବହୁଳ ପ୍ରସାର ହୋଇଥିଲା। ତେବେ ଗତ ସୋମବାରର ଘଟଣା ପରେ ସେହି ସ୍ବର ଶାଣିତ ହେବାରେ ଲାଗିଛି। ଅଧିକାଂଶ ଭାରତୀୟ ହିନ୍ଦୀ-ଚୀନୀ ବାଏ ‌ବାଏ ସ୍ଲୋଗାନକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଅର୍ଥାତ୍ ଚୀନ ସହିତ ସମସ୍ତ ପ୍ରକାର ରାଜନୈତିକ, କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ଛନ୍ନ କରିବାକୁ ଲୋକେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର