ନୂଆଦିଲ୍ଲୀ : ବ୍ରିଟେନର ହାଉସ ଅଫ କମନ୍ସରେ କାଶ୍ମୀର ପାଇଁ ଗଠିତ ସର୍ବଦଳୀୟ ସଂସଦୀୟ ଗ୍ରୁପ (ଏଏପିଜି) ‘କାଶ୍ମୀରରେ ମାନବାଧିକାର’ ପ୍ରସ୍ତାବ ଉପରେ ପ୍ରସ୍ତାବ ଆଗତ କରିଛି। ବିତର୍କ ପାଇଁ ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ ଭାରତ ଦୃଢ଼ ବିରୋଧ କରିଛି। ଭାରତର ଅବିଚ୍ଛେଦ୍ୟ ଅଙ୍ଗ ସଂପର୍କରେ କୌଣସି ଫୋରମରେ ଆଲୋଚନା କରିବା ପୂର୍ବରୁ ସେ ସଂପର୍କରେ ଉପଯୁକ୍ତ ତଥ୍ୟ ପ୍ରମାଣ ଥିବା ଆବଶ୍ୟକ ବୋଲି ଭାରତ କହିଛି।
ତେବେ ଏହି ବିତର୍କରେ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟ (ଏଫସିଡିଓ) ମନ୍ତ୍ରୀ ଅମଣ୍ଡ ମିଲିଂ କହିଛନ୍ତି, କାଶ୍ମୀର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ବ୍ରିଟେନର ମତ ଅପରିବର୍ତ୍ତିତ ରହିଛି। କାଶ୍ମୀର ପରିସ୍ଥିତିକୁ ସରକାର ଅତି ଗମ୍ଭୀରତାର ସହ ନିଅନ୍ତି। କିନ୍ତୁ ଏହାର ଏକ ସବୁଦିନିଆ ରାଜନୈତିକ ସମାଧାନ କାଶ୍ମୀର ଲୋକଙ୍କ ଇଚ୍ଛା ଅନୁସାରେ ଭାରତ ଏବଂ ପାକିସ୍ତାନ କରିବା ଆବଶ୍ୟକ। ବ୍ରିଟେନ ଏହି ସମସ୍ୟାର ସମାଧାନ ସୂତ୍ର ବତାଇବା କିମ୍ବା ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ବିତର୍କ ସମୟରେ କେତେକ ସାଂସଦ ଯେଉଁଭଳି ଭାଷା ବ୍ୟବହାର କରିଛନ୍ତି ତାହା ଉପରେ ଭାରତ ଆପତ୍ତି ଉଠାଇଛି।
ମୁଖ୍ୟତଃ ପାକିସ୍ତାନୀ ବଂଶୋଦ୍ଭବ ଶ୍ରମିକ ଦଳ ସାଂସଦ ନାଜ ଶାହଙ୍କ ମନ୍ତବ୍ୟ ଉପରେ ଭାରତ ପ୍ରତିକ୍ରିୟା ବ୍ୟକ୍ତ କରିଛି। ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରାଯାଇଥିବା ସମାଲୋଚନାକୁ ନିନ୍ଦା କରିଛନ୍ତି। ଏଥିସହିତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି। ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ନିର୍ବାଚିତ ମୁଖ୍ୟଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିବା ପାଇଁ ବ୍ରିଟେନର ପବିତ୍ର ଗୃହକୁ ଅପବ୍ୟବହାର କରାଯିବା ଦୁଃଖର ବିଷୟ ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଅବସରରେ ୨୦୦୨ ଗୁଜରାଟ ଦଙ୍ଗା ପ୍ରସଙ୍ଗରେ ଶାହ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରାଯାଇଥିଲା। ଉକ୍ତ ବିତର୍କ ୨୦୨୦ ମାର୍ଚ୍ଚରେ ହେବାକୁ ଥିଲା। କିନ୍ତୁ କରୋନା ମହାମାରୀ ଜନିତ ଲକଡାଉନ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ବିଭିନ୍ନ ଦଳରୁ ପ୍ରାୟ ୨୦ ଜଣ ସାଂସଦ ଉଭୟ ସପକ୍ଷ ଏବଂ ବିପକ୍ଷରେ ସେମାନଙ୍କ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/AAA.jpg)