ପ୍ରଥମ ଦିନରୁ ହିଁ ପାକିସ୍ତାନକୁ ଚେତାବନୀ ଶୁଣାଇଲେ ସେନାମୁଖ୍ୟ ଜେନେରାଲ ନରଭାଣେ

ନୂଆଦିଲ୍ଲୀ : ଦେଶର ସେନାମୁଖ୍ୟଭାବେ ମଙ୍ଗଳବାରଦିନ ଦାୟିତ୍ୱ ଗ୍ରହଣ କରିଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଆତଙ୍କବାଦକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି । ଏ ପ୍ରସଙ୍ଗରେ ସେ ସିଧାସଳଖ ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି ।

ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ଆତଙ୍କବାଦକୁ ପ୍ରତ୍ସାହନ ବନ୍ଦ ନକଲେ ତାହାକୁ ମୂଳରୁ ନଷ୍ଟ କରିବାର ଅଧିକାର ଭାରତ ପାଖରେ ରହିଛି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ସୀମା ପାର ଆତଙ୍କବାଦକୁ ଉଚିତ ଶାସ୍ତି ଦେବାକୁ ଉପଯୁକ୍ତ ମିଲିଟାରୀ ଜବାବ ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆସିଛି । କିନ୍ତୁ ଆତଙ୍କବାଦରୁ ସମସ୍ତଙ୍କ ଧ୍ୟାନ ହଟାଇବାକୁ ପାକିସ୍ତାନର ଉଦ୍ୟମ ବିଫଳ ହୋଇଯାଇଛି ।

ପାକିସ୍ତାନୀ ଆତଙ୍କବାଦର ଜବାବ ଦେବା ପାଇଁ ଭାରତୀୟ ସେନା ପାଖରେ ଅନେକ ବିକଳ୍ପ ରହିଛି । ସ୍ଥିତି ଅନୁସାରେ ଉପଯୁକ୍ତ ବିକଳ୍ପର ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଚୀନର ମୁକାବିଲା କରିବା ପାଇଁ ଭାରତର ଉତ୍ତର ସୀମାରେ କ୍ଷମତା ବୃଦ୍ଧି ଅବ୍ୟାହତ ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ଜେନେରାଲ ବିପିନ ରାଓ୍ଵତ ଅବସର ଗ୍ରହଣ କରିବା ସହ ପ୍ରତିରକ୍ଷା ମୁଖ୍ୟ ଭାବେ ଆସନ୍ତା କାଲି ଦାୟିତ୍ୱ ଗ୍ରହଣ କରିବେ । ସେ ଜେନେରାଲ ନରଭାଣେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର