ନୂଆଦିଲ୍ଲୀ: ବିସିସିଆଇର ସଂଶୋଧିତ ଯାତ୍ରା ନିୟମକୁ ସମର୍ଥନ କଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ୨୦୨୪-୨୫ରେ ଅଷ୍ଟ୍ରେଲିଆରେ ୧-୩ ବର୍ଡର-ଗାଭାସ୍କର ଟ୍ରଫି ପରାଜୟ ପରେ ଲାଗୁ ହୋଇଥିବା ନିୟମକୁ ସମର୍ଥନ କରି ବିସିସିଆଇ ଉଚିତ୍ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଜାନୁଆରିରେ ବିସିସିଆଇ ଦ୍ୱାରା ସଂଶୋଧିତ ହୋଇଥିବା ନିୟମ ଅନୁଯାୟୀ, ୪୫ ଦିନ କିମ୍ବା ତା’ଠାରୁ ଅଧିକ ସମୟର ଟୁର୍ନାମେଣ୍ଟରେ ପରିବାରକୁ ଖେଳାଳିମାନଙ୍କ ସହିତ ୨ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯିବା ସହ କମ ଦିନର ମ୍ୟାଚ୍ ପାଇଁ ସର୍ବାଧିକ ୭ଦିନ ରହିବାକୁ ଅନୁମତି ଦିଆଯାଇଛି।
ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଲର୍ଡସ ଟେଷ୍ଟ ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ସହ ଏକ ଆଲୋଚନାରେ, ଗମ୍ଭୀର ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥଇଲେ, 'ପରିବାର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଗୋଟିଏ କଥା ବୁଝିବାକୁ ପଡିବ ଯେ, ଖେଳାଳିମାନେ ଏକ ଉଦ୍ଦେଶ୍ୟ ନେଇ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି। ଛୁଟି କଟାଇବାକୁ ନୁହେଁ। ଲର୍ଡସ ଟେଷ୍ଟକୁ ଏକ ବଡ଼ ଉଦ୍ଦେଶ୍ୟ ନେଇ ଆମ ଖେଳାଳି ଆସିଛନ୍ତି। ଡ୍ରେସିଂ ରୁମରେ କିମ୍ବା ଏହି ଗସ୍ତରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦେଶକୁ ଗର୍ବିତ କରିବାର ସୁଯୋଗ ପାଆନ୍ତି।'