ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ(ଡେଲିମିଟେସନ୍ ଏକ୍ସର୍ସାଇଜ୍) ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋପରେସନ୍(ଓଆଇସି)କୁ ସୋମବାର ନିନ୍ଦା କରିଛି ଭାରତ। ଓଆଇସିର ଏହି ଟିପ୍ପଣୀ ଉପରେ ଆଲୋଚନା କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ‘ଓଆଇସି ସେକ୍ରେଟେରିଏଟ୍ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି।’ ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିପ୍ପଣୀକୁ ଭାରତ ସରକାର ପ୍ରତ୍ୟାଖାନ କରିଛନ୍ତି।
ଦିଆଯାଇଥିବା ଦାୟିତ୍ବ ଅନୁସାରେ ଡେଲିମିଟେସନ୍ କମିସନ୍ ମାସ ଆରମ୍ଭରୁ ହିଁ ଜମ୍ମୁ-କଶ୍ମୀରର ସଂସଦ ଓ ବିଧାନସଭା ନିର୍ବାଚନମଣ୍ଡଳିର ପୁନନିର୍ମାଣ ସଂପର୍କିତ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି। ଓଆଇସି ଅନ୍ୟ ଏକ ଦେଶର ଇସାରାରେ ଭାରତରେ ସାଂପ୍ରଦାୟିକ ଏଜେଣ୍ଡା ଚଳାଇବା ବନ୍ଦ କରୁ ବୋଲି ବାଗ୍ଚି କହିଛନ୍ତି।
ଓଆଇସି ଜରିଆରେ ପାକିସ୍ତାନ ପୂର୍ବରୁ ବି ଜମ୍ମୁ-କଶ୍ମୀର ସଂପର୍କରେ ଏପରି ପ୍ରସଂଗ ଉଠାଇ ସାରିଛି। ଦେଶର ନାମ ନନେଇ ବାଗ୍ଚି ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି କି ଅନ୍ୟ କେଉଁ ଦେଶର ଇସାରାରେ ସାଂପ୍ରଦାୟିକ ଏଜେଣ୍ଡା ଚଳାଇବାରୁ ନିବୃତ ରୁହ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ। ତାହାକୁ ନେଇ ଅଯଥା ମନ୍ତବ୍ୟ ନଦେବାକୁ ସେ ଓଆଇସିକୁ ସୂଚାଇ ଦେଇଛନ୍ତି।
ପୂର୍ବରୁ ମଧ୍ୟ ଓଆଇସି ଜମ୍ମୁ-କଶ୍ମୀରକୁ ନେଇ ଅନେକ ଟିପ୍ପଣୀ ଦେଇଛି ଓ ଭାରତ ତାହାକୁ ଖାରଜ ବି କରିଛି। ଓଆଇସିର ଗଠନ ୧୯୬୯ ମସିହାରେ ହୋଇଥିଲା। ଏବେ ଏହି ସଂଗଠନରେ ୫୭ ଜଣ ସଦସ୍ୟ ଅଛନ୍ତି। ଏହି ସଂଗଠନ୍ ଇସ୍ଲାମ୍ ଧର୍ମ ପାଇଁ କାମ କରେ। ଏଥିରେ ୪୯ ମୁସ୍ଲିମ୍ ବହୁଳ ଦେଶ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-84.jpg)