ଭାରତର ପ୍ରହାର ପରେ ପାକିସ୍ତାନବାସୀ ସ୍ତବ୍ଧ; ଚୁପ୍ ପଡ଼ି ଯାଇଛନ୍ତି ପାକିସ୍ତାନୀ ଟିଭି ଚ୍ୟାନେଲ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପ୍ରମୁଖ ଟେଲିଭିଜନ ଚ୍ୟାନେଲଗୁଡିକ ଭାରତ ପଟୁ ଜବାବୀ ଆକ୍ରମଣ କ’ଣ ହୋଇପାରେ ତାର ସମ୍ଭାବ୍ୟ ରୂପରେଖ ସଂପର୍କରେ ଘନ ଘନ ନ୍ୟୁଜ୍‌ ପ୍ରସାରଣ କରିଥିଲେ। ଏଥିରେ ଭାରତର ସାମରିକ ପରାକ୍ରମକୁ ନ୍ୟୂନ କରି ଦେଖାଇଥିଲେ ପାକ୍ ମିଡ଼ିଆ। ଏମିତିକି ପାକିସ୍ତାନର ଅନେକ ସାମରିକ ବିଶାରଦ ୬୫, ୭୧ ଏବଂ ୯୯ ମସିହାର କାରଗିଲ ଯୁଦ୍ଧକୁ ତୁଳନା କରି ବର୍ତ୍ତମାନର ପାକିସ୍ତାନର ମାରକ କ୍ଷମତା ତା’ ଅପେକ୍ଷା ଢେର ଗୁଣ ଅଧିକ ଥିବା ଦର୍ଶାଇଥିଲେ। ଆଉ ଏଥିରେ ବି ଉତ୍ସାହିତ ହୋଇ ଯାଇଥିଲେ ପାକ୍‌ର ଟିଭି ଓ ମିଡ଼ିଆ ଚ୍ୟାନେଲଗୁଡ଼ିକ। ପାକ୍‌ ସେନାବାହିନୀରେ ସାମିଲ ହୋଇଥିବା କ୍ଷେପଣାସ୍ତ୍ର ‘ହାତଫ୍‌’, ‘ସାହିନ୍‌’, ‘ଘୋରୀ’ର ଉଦାହରଣ ଦେଇ ସେଠାକାର ଟିଭି ଚ୍ୟାନେଲଗୁଡିକ ଭାରତ ଆକ୍ରମଣ କଲେ ପାକିସ୍ତାନର ପ୍ରତି ଆକ୍ରମଣ ଭାରି ପଡିବ ବୋଲି ଦର୍ଶାଇଥିଲେ।
ହେଲେ ୨୫ ଫେବ୍ରୁଆରି ମଧ୍ୟରାତ୍ରରେ ଭାରତର ମୁହଁତୋଡ଼ ଆକ୍ରମଣ ପରେ ନିରବି ଯାଇଛନ୍ତି ପାକିସ୍ତାନର ମିଡ଼ିଆ ଓ ଟିଭି ଚ୍ୟାନେଲ।

ଭାରତୀୟ ବାୟୁସେନାର ଅତର୍କିତ ତଥା ଯୋଜନାବଦ୍ଧ ଆକ୍ରମଣକୁ ନେଇ ଏବେ ପାକିସ୍ତାନବାସୀ ସ୍ତବ୍ଧ ଓ ଚକିତ। ସମସ୍ତେ ପାକ୍‌ ସେନାର ଦୋଷ ଦୁର୍ବଳତା, ସୁରକ୍ଷାଜନିତ ତ୍ରୁଟିକୁ ଅଙ୍ଗୁଳି ଦେଖାଉଛନ୍ତି। ସତ କଥା ହେଉଛି, ପାକିସ୍ତାନ କେବେ‌ ବି ଭାବିନଥିଲା ଭାରତ ପଟୁ ଏମିତି ହାମ୍‌ଲା ହେବ ବୋଲି। ଭାରତର ତଥାକଥିତ ଏହି ସର୍ଜିକାଲ ଷ୍ଟ୍ରାଇକ୍‌-୨କୁ ପାକ୍‌ ସେନା ବାହିନୀ ସିଧାସଳଖ ସ୍ବୀକାର କରିନଥିଲେ ବି ପରୋକ୍ଷରେ ସ୍ବୀକାର କରିଛି। ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ଟ୍ବିଟ୍‌ କରି କହିଛନ୍ତି ଯେ, ଭାରତର କିଛି ଲଢୁଆ ବିମାନ ତାଙ୍କ ଦେଶ ସୀମା ଭିତରକୁ ପଶିଆସିବା ପରେ ସେମାନଙ୍କୁ ପାକ୍ ଏୟାର ଫୋର୍ସର ବିମାନ ଠାବ କରି ଘଉଡାଇ ଦେଇଥିଲା। କିନ୍ତୁ ଏହା ମେଜର ଗଫୁରଙ୍କ ମୁହଁ ଫୁଟାଣି ବୋଲି ସେ ଦେଶର ଜନତା କହିଲେଣି। କାରଣ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ର ଭିଡ଼ିଓ ଚିତ୍ର ଏବେ ପାକ୍ ଟିଭି ଚ୍ୟାନେଲଗୁଡିକରେ ଡିବିଡିବି ହୋଇ ବାଜୁଛି।

ଭାରତର ଜବାବୀ ଆକ୍ରମଣକୁ ନେଇ ପାକିସ୍ତାନର ଜନସାଧାରଣ ଏବେ ସେନା ଓ ଇମ୍ରାନ୍ ଖାନଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ବିଷ ଓଗାଳିବା ଆରମ୍ଭ କଲେଣି।

ସମ୍ବନ୍ଧିତ ଖବର