ଚୀନ୍ ସହ ବିବାଦ ଚାଲିଥିବା ‌ବେଳେ ଭାରତ ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ମହାସାଗରରେ ଭାରତୀୟ ଓ ଜାପାନୀ ଯୁଦ୍ଧପୋତ ସମରାଭ୍ୟାସ ଚଳାଇଥିବା କଥା ଉଭୟ ଦେଶର ନୌସେନା ଘୋଷଣା କରିଛନ୍ତି। ପାରସ୍ପରିକ ବୁଝାମଣାକୁ ଉତ୍ସାହ ଦେବା ନିମନ୍ତେ ଏହି ସମରାଭ୍ୟାସର ପରିକଳ୍ପନା କରାଯାଇଥିବା କଥା ଜାପାନୀ ମେରିଟାଇମ୍ ସେଲ୍‌ଫ-ଡିଫେନ୍‌ସ୍ ଫୋର୍ସ କହିଛି। ଉଭୟ ଦେଶର ଦୁଇଟି ଲେଖାଏଁ ଯୁଦ୍ଧପୋତ ଏଥିରେ ନିୟୋଜିତ ହୋଇଥିଲେ।

ଶନିବାର ସମରାଭ୍ୟାସରେ ଭାରତୀୟ ନୌସେନାର ତାଲିମ ପୋତ ଆଇଏନ୍‌ଏସ୍ ରାଣା ଏବଂ ଆଇଏନ୍‌ଏସ୍ କୁଲୁଶ୍‌ ଜାପାନର ଜେଏସ୍‌ କାଶିମା ଏବଂ ଜେଏସ୍ ଶିମାୟୁକି ସହ ଯୋଗ ଦେଇଥିଲା। ନୂଆଦିଲ୍ଲୀସ୍ଥିତ ଜାପାନୀ ଦୂତାବାସ କହିଛି‌‌ ଯେ, ତିନି ବର୍ଷ ମଧ୍ୟରେ ଏହା ହେଉଛି ଏହି ପ୍ରକାରର ୧୫ଶ ‌ସମରାଭ୍ୟାସ। ଦୂତାବାସର ମୁଖପାତ୍ର ତୋଶିହାଇଡ୍ ଆଣ୍ଡୋ କହିଛନ୍ତି, ଏହି ସମରାଭ୍ୟାସର ବିଷୟବସ୍ତୁ ହେଉଛି ବିନା କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ କୌଶଳ ଓ ଯୋଗସୂତ୍ର ତାଲିମ ଦେବା।

Image Courtesy of Hindustan Times

ସମ୍ପ୍ରତି ଭାରତ ଏବଂ ଜାପାନ ମଧ୍ୟରେ ନୌସେନା ସମରାଭ୍ୟାସ ନିୟମିତ ଚାଲୁଛି। କିନ୍ତୁ, ଏବେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ସମୟରେ ‌ଏହି ନୌସେନା ସମରାଭ୍ୟାସ ଗୁରୁତ୍ବ ବହନ କରୁଛି। ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ଡୋକଲାମ୍ ସଙ୍କଟ ବେଳେ ଖୋଲାଖୋଲି ସମର୍ଥନ କରିଥିବା ଅଳ୍ପ କେତେକ ଦେଶ ମଧ୍ୟରେ ଜାପାନ ଥିଲା ଅନ୍ୟତମ। ଗଲୱାନ୍‌ ଉପତ୍ୟକାର ଭାରତୀୟ ଯବାନଙ୍କ ମୃତ୍ୟୁ ଯୋଗୁଁ ଜାପାନ ମଧ୍ୟ ଶୋକ ପ୍ରକାଶ କରିଛି।

ନ୍ୟାସ୍‌ନାଲ୍ ମେରିଟାଇମ୍ ଫାଉଣ୍ଡେସନ୍‌ର ମହାନିର୍ଦେଶକ ଭାଇସ୍ ଆଡ୍‌ମିରାଲ୍ ପ୍ରଦୀପ ଚୌହାନ କହିଛନ୍ତି, ସୁପରିକଳ୍ପିତ ଯୋଗସୂତ୍ର ନିମନ୍ତେ ଆମେ ଏହି ସମରାଭ୍ୟାସ ବ୍ୟବହାର କରୁଛୁ। ଯୁଦ୍ଧ ଉଦ୍ଦେଶ୍ୟରେ ନୁହେଁ ସେଙ୍କେତ ଆଦାନପ୍ରଦାନ ପାଇଁ ନୌସେନା ସେଠାରେ ଉପସ୍ଥିତ ଥିଲେ।

ଆମେ ଆମର ବନ୍ଧୁମାନଙ୍କର ନିକଟତର ହେବା ଆବଶ୍ୟକ। ଏହାଛଡ଼ା, ଚୀନ୍ ଜାଣେ ଯେ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତ୍ୟେକ୍ଷଭାବେ ଉତ୍ତେଜନା ବଢ଼ିବାର ପରିସର ରହିଛି।

ସମ୍ବନ୍ଧିତ ଖବର