ନୂଆଦିଲ୍ଲୀ: ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ଵତ୍, ବିଦେଶ ସଚିବ ବିଜୟ ଗୋଖଲେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଦୋଭଲ୍ ଗୋପନୀୟ ଭାବେ ଭୁଟାନ୍ ଗସ୍ତ ଶେଷ କରିଥିବା ଜଣାପଡ଼ିଛି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଦେଶର ପ୍ରତିରକ୍ଷା ସହ ଜଡ଼ିତ ଏହି ତିନି ଶୀର୍ଷ ଅଧିକାରୀ ଡୋକ୍ଲାମ୍ରେ ପୁଣି ଚୀନ୍ର ସାମରିକ ଗତିବିଧି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭୁଟାନ୍ର ନେତୃତ୍ୱ ସହ ଆଲୋଚନା କରିଥିବା ସୂଚନା ମିଳିଛି।
ଏକ ଗୁଇନ୍ଦା ରିପୋର୍ଟରେ ଭାରତ ସୂଚିତ ହୋଇଥିଲା କି ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲ୍ଏ) ରୟାଲ୍ ଭୁଟାନ୍ ଆର୍ମି ଅଧିନରେ ଥିବା ବିଭିନ୍ନ ଅଞ୍ଚଳରେ ନିୟମିତ ସାମରିକ ପାଟ୍ରୋଲିଂ ଚଳାଇଛି। ଏହା ଭାରତର ଚିନ୍ତା ବଢ଼ାଇ ଦେଇଛି। କେବଳ ସେତିକି ନୁହେଁ, ରୟାଲ୍ ଭୁଟାନ୍ ଆର୍ମି ଅକ୍ତିଆରରେ ଥିବା ଲାରିଓଙ୍ଗ୍,ସାରିଥାଙ୍ଗ୍,ସିଞ୍ଚୁଲୁମ୍ପା ଏବଂ ଫାଙ୍ଗ୍କାଲା ଅଞ୍ଚଳରେ ପିଏଲ୍ଏ ଅସ୍ତ୍ରଶସ୍ତ୍ର ସହିତ ସେନା କର୍ମଚାରୀଙ୍କୁ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ କରିଛି।
/sambad/media/post_attachments/wp-content/uploads/2018/01/india-china-signposts-300x169.jpg)
ଏଥିସହ ଉତ୍ତର ଡୋକ୍ଲାମରେ ମଧ୍ୟ ଚୀନ ଏଭଳି କାର୍ଯ୍ୟକଳାପ ଜାରି ରଖିଛି। ୨୦୧୬ ମସିହାରେ ଚୀନ୍ ପକ୍ଷରୁ ଡୋକଲାମ୍ରେ ସାମରିକ ପକ୍ଷରୁ ବେଆଇନ୍ ଭାବେ ରାସ୍ତା ଓ ସାମରିକ ଭିତ୍ତିଭୂମି ନିର୍ମାଣ ହେଉଥିବା ହେତୁ ଭାରତୀୟ ସେନା ଓ ପିଏଲ୍ଏ ମୁହାଁମୁହିଁ ହୋଇଥିଲେ। ୭୩ ଦିନର ମୁହାଁମୁହିିଁ ପରେ ଚୀନ୍ ପଛକୁ ହଟିଥିଲା।
ଭାରତୀୟ ଅଧିକାରୀ ଓ ଭୁଟାନ୍ ନେତୃତ୍ୱଙ୍କ ମଧ୍ୟରେ ଅନୁଷ୍ଠିତ ଗୁପ୍ତ ବୈଠକରେ ଡୋକ୍ଲାମରେ ଚୀନ୍ କ୍ରମଶଃ ବଢ଼ାଉଥିବା ସାମରିକ ଗତିବିଧି ଓ ନିର୍ମାଣକୁ ରୋକିବା ଦିଗରେ ପଦକ୍ଷେପ ସଂପର୍କିତ ଆଲୋଚନା ହୋଇଥିଲା। ଭାରତ ଓ ଭୁଟାନ୍ ମଧ୍ୟରେ ଦ୍ୱିପାକ୍ଷିକ ସୁରକ୍ଷା ଏବଂ ସାମରିକ ସହଯୋଗକୁ ଦୃଢ଼ କରିବା ନେଇ କେତେକ ବୁଝାମଣା ହୋଇଥିବା ଜଣାପଡ଼ିଛି। ଡ଼ୋକ୍ଲାମ ଉପତ୍ୟାକାରେ ପୁଣି ନିଜର କାୟା ବିସ୍ତାର କରୁଥିବା ଚୀନ୍କୁ ଭାରତ ରୋକିବା ଲାଗି କୁଟନୈତିକ ସ୍ତରରେ ପ୍ରୟାସ ଜାରିରଖିଛି।