ଚୀନ ନାଗରିକଙ୍କ ଉପରେ ଭିସା କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ : ବାରମ୍ବାର ଆଲୋଚନା ସତ୍ତ୍ୱେ ଚୀନ ସହ ବିବାଦର ସମାଧାନ ହେଉନଥିବାରୁ ଭାରତ ସରକାର ଚୀନକୁ ନେଇ ଅଧିକ ସତର୍କ ହୋଇଉଠିଛନ୍ତି । ପୂର୍ବରୁ ଚୀନ ମୋବାଇଲ ଆପଗୁଡ଼ିକ ଉପରେ ନିଷେଧାଜ୍ଞା ଲଗାଇବା ପରେ ଏବେ ଚୀନ ନାଗରିକଙ୍କୁ ଦିଆଯାଉଥିବା ଭିସା ଉପରେ କେତେକ କଟକଣା ଲଗାଇବାକୁ ଚିନ୍ତା କରାଯାଉଛି । ଏହା ସହିତ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଚୀନ ସରକାରଙ୍କ କନଫୁସିୟସ ଇନଷ୍ଟିଚ୍ୟୁଟର ସଂପର୍କର ସମୀକ୍ଷା କରାଯିବ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଣିକି ଚୀନ ନାଗରିକ, ବ୍ୟବସାୟୀ, ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତମାନଙ୍କୁ ଭିସା ଜାରି କରାଯିବା ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ । ପୂର୍ବରୁ ଏହି ନିୟମ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଲାଗୁ ହେଉଥିଲା ।

ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚୀନ ସରକାରଙ୍କ ପ୍ରଭାବକୁ ନେଇ କିଛି ଦିନ ତଳେ ସୁରକ୍ଷା ଏଜେନ୍ସିମାନେ ଚିନ୍ତା ପ୍ରକଟ କରିଥିଲେ । ଚୀନ ସରକାର ନିଜ ଦେଶର କନଫୁସିୟସ ଇନଷ୍ଟିଚ୍ୟୁଟ ମାଧ୍ୟମରେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଅନୁଦାନ ଦେଇ ଭାରତରେ ଚୀନ ସଂସ୍କୃତିର ପ୍ରସାର କରୁଛନ୍ତି । କିନ୍ତୁ ପ୍ରକୃତରେ ଏସବୁ ଅନୁଦାନ ମାଧ୍ୟମରେ ଚୀନ ବିଶ୍ୱ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ଶିକ୍ଷାରେ ଚୀନ ପାଇଁ ସଂବେଦନଶୀଳ ପ୍ରସଙ୍ଗ ଯଥା ତିବ୍ଦତ, ତାଇଓ୍ଵାନ, ତିଆନାମେନ୍ ସ୍କୋୟାର ଗଣହତ୍ୟା ଆଦି ଉପରେ ସେନସରସିପ୍ ଲଗାଯାଉଛି ।

ସମ୍ବନ୍ଧିତ ଖବର