ଆପ୍ରବାସୀଙ୍କ ପସନ୍ଦ, ଦ୍ବାଦଶ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏବେ ସରକାର ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ସମଗ୍ର ଦେଶରେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ଏନ୍‌ଆର୍‌ସି (ଜାତୀୟ ନାଗରିକ ପଂଜୀକରଣ) ଲାଗୁ କରିବା ପାଇଁ ଯୋଜନା ହେଉଛି। ତେବେ ୨୦୧୧ ଜନଗଣନା ଅନୁଯାୟୀ ଭାରତର ନାଗରିକତା ଗ୍ରହଣ କରିବାକୁ ବିଶ୍ବ ପ୍ରବାସୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଜନଗଣନା କମିସନରଙ୍କ ତଥ୍ୟ ମୁତାବକ ବିଦେଶ ଜନ୍ମିତ ଭାରତୀୟ ନାଗରିକଙ୍କ ସଂଖ୍ୟା ୫.୩୬ ନିୟୁତ ରହିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ପଡ଼ୋଶୀ ରାଷ୍ଟ୍ରର ଥିବା ବେଳେ ଅନ୍ୟମାନେ ମୁଖ୍ୟତଃ ଆମେରିକା, ବ୍ରିଟେନ, କଜାଖ୍‌ସ୍ତାନ, ଫିଜି, ଅଷ୍ଟ୍ରେଲିଆ ଏବଂ ଅନ୍ୟ ରାଷ୍ଟ୍ରର ବୋଲି ଜଣାପଡ଼ିଛି। ଆପ୍ରବାସୀଙ୍କୁ ଆକୃଷ୍ଟ କରିବାରେ ଭାରତ ଦ୍ବାଦଶ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ସାଉଦି ଆରବ ରହିଛି। ଭାରତର ନାଗରିକ ହୋଇଥିବା ବିଦେଶ ଜନ୍ମିତ ଲୋକଙ୍କ ମଧ୍ୟରୁ ୨.୭୫ ନିୟୁତ ବାଂଲାଦେଶର ହୋଇଥିବା ବେଳେ ପାକିସ୍ତାନ ଜନ୍ମିତ ୯.୨ ଲକ୍ଷ ଲୋକ ଭାରତର ନାଗରିକତା ଗ୍ରହଣ କରିଛନ୍ତି। ୮.୧୦ ଲକ୍ଷ ଭାରତୀୟ ନେପାଳ ଜନ୍ମିତ ହୋଇଥିବା ବେଳେ ୨.୪ ଲକ୍ଷ ଲୋକ ଶ୍ରୀଲଙ୍କାରେ ଜନ୍ମିତ ବୋଲି ଜଣାପଡ଼ିଛି। ଆଫ୍ରିକୀୟ ମହାଦେଶରେ ଜନ୍ମିତ ୧.୩୩ ଲକ୍ଷ ଭାରତର ନାଗରିକତା ଗ୍ରହଣ କରିଥିବା ବେଳେ ୧.୩୦ ଲକ୍ଷ ଭାରତୀୟ କେନ୍ଦ୍ର ଏବଂ ଦକ୍ଷିଣ ଆମେରିକା ଜନ୍ମିତ ବୋଲି ଜଣାପଡ଼ିଛି। ଦକ୍ଷିଣ ଏବଂ କେନ୍ଦ୍ର ଆମେରିକାରେ ଜନ୍ମିତ ୭୧,୦୬୦ ଜଣ ମହିଳା ଭାରତର ନାଗରିକ ହୋଇଥିବା ବେଳେ ୫୮,୪୩୬ ଜଣ ପୁରୁଷ ଭାରତର ନାଗରିକତା ଗ୍ରହଣ କରିଛନ୍ତି। ପାକିସ୍ତାନ ଜନ୍ମିତ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୬୧ ପ୍ରତିଶତ ଦିଲ୍ଲୀ, ପଂଜାବ ଏବଂ ହରିୟାଣାରେ ରହୁଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶରେ ଜନ୍ମିତ ଭାରତୀୟ ନାଗରିକଙ୍କ ମଧ୍ୟରୁ ୯୦ ପ୍ରତିଶତ ତ୍ରିପୁରା ଏବଂ ପଶ୍ଚିମବଂଗରେ ରହୁଛନ୍ତି। ଉତ୍ତର ପ୍ରଦେଶ ଏବଂ ବିହାରରେ ୪୭ ପ୍ରତିଶତ ନେପାଳ ଜନ୍ମିତ ଭାରତୀୟ ରହୁଛନ୍ତି।

ସମ୍ବନ୍ଧିତ ଖବର