ନୂଆଦିଲ୍ଲୀ: ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତାା (ଏଆଇ)ର ଅପବ୍ୟବହାର ରୋକିବା ପାଇଁ ଉଦ୍ୟମ କରାଯାଉଛି। ଏ ନେଇ ଭାରତ ଅନ୍ୟ ରାଷ୍ଟ୍ରମାନଙ୍କ ସହଯୋଗ ନେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇର ଅପବ୍ୟବହାରର ବୈଷୟିକ ସମାଧାନ ଅଣାଯିବ। ଏଭଳି ବୈଷୟିକ ତଥା ଆଇନଗତ ସମାଧାନ ସମ୍ପର୍କରେ ଭାରତ ୩୦ରୁ ଅଧିକ ଦେଶର ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛି। ସେ କହିଛନ୍ତି ଯେ ଏଆଇର ଅପବ୍ୟହାର ଆମ ସମାଜରେ ଏବେ ଗଭୀର ଭାବେ ‘ବିଶ୍ବାସ ସଂକଟ’ ସୃଷ୍ଟି କରୁଛି। ଏହା ବିଭିନ୍ନ ବର୍ଗର ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହ ପ୍ରଯୁକ୍ତିର ଯେଭଳି ଅପବ୍ୟବହାର ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ମିସ୍‌ ଇନ୍‌ଫର୍ମେସନ୍‌, ଡିସ୍‌ଇନ୍‌ଫର୍ମେସନ୍‌, ଡିପ୍‌ଫେକ୍‌ ଭଳି ଭୂଲ ତଥ୍ୟ ସମାଜକୁ ବିଭ୍ରାନ୍ତ କରୁଛି। ତେଣୁ ଏ ଦିଗରେ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ନୂଆ ପ୍ରଯୁକ୍ତି ଯେଭଳି ମାନବ ସମାଜ ମଧ୍ୟରେ ଥିବା ବିଶ୍ବାସ, ଅସ୍ଥା ଓ ମୂଲ୍ୟବୋଧକୁ ନଷ୍ଟ କରିବା ପରିବର୍ତ୍ତେ ତାହାକୁ ଆହୁରି ସୁଦୃଢ଼ କରିବ, ସାମାଜିକ ଗଣମାଧ୍ୟମ ଓ ଏଆଇ ପାଇଁ ପ୍ରଯୁକ୍ତି ପ୍ରସ୍ତୁତ କରିବା ସମୟରେ ସଂସ୍ଥାଗୁଡ଼ିକ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସୂଚନାଯୋଗ୍ୟ ବିଭିନ୍ନ ଗଣମାଧ୍ୟମରେ ସଂପୃକ୍ତ କର୍ତ୍ତୃପକ୍ଷ ଏଆଇ ଭିତ୍ତିକ ତଥ୍ୟ ସଂପର୍କରେ ସୁନିଶ୍ଚିତ କରିବା ସହ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ ଭାରତ ସରକାର ସାମାଜିକ ଗଣମାଧ୍ୟମଗୁଡ଼ିକୁ ନୋଟିସ୍‌ ଜାରି କରିଥିଲେ।

Advertisment

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚା‌ଷୀ ନୀତି, ଆଇନ୍‌ଶୃଙ୍ଖଳା ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ