ଇରାନରୁ ତେଲ ଆମଦାନୀ ପାଇଁ ବିକଳ୍ପ ଉପାୟ ଖୋଜୁଛି ଭାରତ, ୟୁରୋ ଓ ଟଙ୍କା ମାଧ୍ୟମରେ ତେଲ କିଣିବାକୁ ଯୋଜନା

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ସରକାରଙ୍କ ଉପରେ ଚାପ ବଢିଯାଇଛି । କିନ୍ତୁ ଆଗକୁ ଆହୁରି ସମସ୍ୟା ଆସୁଛି । କାରଣ ନଭେମ୍ବର ୪ରୁ ଇରାନଠାରୁ ତେଲ ଆମଦାନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ବିଭିନ୍ନ ଦେଶମାନଙ୍କୁ କହିଛି । ଅର୍ଥାତ ଇରାନରୁ ତେଲ କିଣିଲେ ଆମରିକୀୟ ବ୍ୟାଙ୍କମାନେ ଡଲାର ଦେବ ନାହିଁ । ଏହି ସମସ୍ୟାର ଏକ ବିକଳ୍ପ ଉପାୟ ବାହାର କରିବାକୁ ଉଭୟ ଇରାନ ଓ ଭାରତ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁସାରେ ନଭେମ୍ବର ୪ ପରେ ବି ଭାରତ ଇରାନରୁ ତେଲ ଆମଦାନୀ କରିପାରିବ । ଏଥିପାଇଁ ଭାରତ ୟୁରୋପୀୟ ସଂଘ ସହିତ କଥାବାର୍ତ୍ତା ଚଳାଇଛି । କଥାବାର୍ତ୍ତା ସଫଳ ହେଲେ ଭାରତ ୟୁରୋ ମାଧ୍ୟମରେ ଇରାନରୁ ତେଲ କିଣିପାରିବ । ଆଉ ଏକ ଯୋଜନା ଅନୁସାରେ ଭାରତୀୟ ଟଙ୍କା ବିନିମୟରେ ମଧ୍ୟ ଇରାନଠାରୁ ତେଲ କିଣିବା ପାଇଁ ଯୋଜନା ଚାଲିଛି ।
ଗତ ଇରାନର ସଡ଼କ ପରିବହନ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଅବାସ ଅଖଉଣ୍ଡି ମଧ୍ୟ ଏହି ବିକଳ୍ପ ଯୋଜନା ସଂପର୍କରେ ସଂକେତ ଦେଇଥିଲେ । ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କଟକଣା ଉଠିବା ପରେ ଡଲାର ବିନିମୟରେ କିଣିଲା । କିନ୍ତୁ ଏବେ ପୁଣି କଟକଣା ଆଶଙ୍କା ଥିବାରୁ ଭାରତ ନିଜର ପୁରୁଣା ଫର୍ମୁଲାକୁ ଫେରିବାକୁ ଚାହୁଁଛି । ଏହି ଫର୍ମୁଲା ଅନୁସାରେ ଭାରତ ୫୫ ପ୍ରତିଶତ ତେଲ ବିଲ ୟୁରୋ ୟୁରୋ ଓ ୪୫ ପ୍ରତିଶତ ଟଙ୍କା ମାଧ୍ୟମରେ ପେମେଣ୍ଟ କରିବ ।

ସମ୍ବନ୍ଧିତ ଖବର