ଋଷ-ୟୁକ୍ରେନ ସଙ୍କଟକୁ ନେଇ କିଛି ଏଭଳି ଯୁକ୍ତି ରଖିଲା ଭାରତ

ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଛି। ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କଡ଼ା ଚେତାବନୀ ସତ୍ତ୍ବେ ପୁତିନ୍ ସୋମବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପୁତିନଙ୍କ ଏହି ନିଷ୍ପତ୍ତିକୁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶ ନିନ୍ଦା କରିଛନ୍ତି। ଏହି ଘଟଣାକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଆରମ୍ଭ ହୋଇଛି। ପାଶ୍ଚାତ୍ୟ ଦେଶଗୁଡିକ ଭୟ କରୁଛନ୍ତି ଯେ ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ |ଏହି ଘଟଣାକୁ ନେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ୍ ତିରୁମୁର୍ତ୍ତୀ ଭାରତର ପକ୍ଷ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି ଯେ ୟୁକ୍ରେନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ଗଭୀର ଚିନ୍ତାର ବିଷୟ। ଏହା ଦ୍ୱାରା ଏହି ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତା କ୍ଷୁର୍ଣ୍ଣ ହୋଇପାରେ ବୋଲି ଭାରତ କହିଛି। ଆମେ ବିଶ୍ୱାସ କରୁ ଯେ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ। ଭାରତ କହିଛି ଯେ ସମସ୍ତ ପକ୍ଷ ସଂଯମତା ବଜାୟ ରଖିବା ଉଚିତ | ଯେଉଁମାନେ ଉତ୍ତେଜନାକୁ ଦୂର କରିବାକୁ ଚାହୁଁଛନ୍ତି, ସେମାନଙ୍କ ସାମ୍ପ୍ରତିକ ପଦକ୍ଷେପକୁ ସ୍ଥାନ ଦେବା ଆବଶ୍ୟକ ବୋଲି ଭାରତ କହିଛି ।

ଟିଏସ୍ ତିରୁମୁର୍ତ୍ତୀ କହିଛନ୍ତି ୟୁକ୍ରେନ ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ର ଓ ନାଗରିକ ବାସ କରନ୍ତି | ତେଣୁ ସେମାନଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା ବୋଲି ଭାରତ କହିଛି | ଭାରତ କହିଛି ଯେ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତାକୁ ବଜାୟ ରଖିବା ପାଇଁ କୂଟନୈତିକ ପ୍ରୟାସକୁ ଅଧିକ ସୁଦୃଢ କରିବା ପାଇଁ ଜୋରଦାର ପ୍ରୟାସ କରିବାକୁ ପାଇଁ ଭାରତ କହିଛି।

ସମ୍ବନ୍ଧିତ ଖବର