ଟିକାକରଣରେ ବିଶ୍ବ ନେତୃତ୍ବ ଦୌଡ଼ରେ ଭାରତ, ୧୬ରୁ ଗଣଟିକାକରଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ଭାରତରେ ବିଶ୍ବର ସବୁଠୁ ବଡ଼ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୦ଟା ୩୦ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଟିକାକରଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିବା ବେଳେ ଦେଶବାସୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଏକ ଆକଳନ ଅନୁଯାୟୀ, ଜାନୁଆରି ୧୨ ତାରିଖ ସୁଦ୍ଧା ସମଗ୍ର ବିଶ୍ବରେ ମୋଟ ୨ କୋଟି ୯୪ ଲକ୍ଷ ନାଗରିକ କୋଭିଡ୍‌ ଟିକାର ପ୍ରଥମ ମାତ୍ରା ନେଇସାରିଛନ୍ତି ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଲୟ ଦ୍ବାରା ସଂଗୃହୀତ ତଥ୍ୟରୁ ଜଣାଯାଇଛି।

ସୂଚନାନୁୟାୟୀ, ଗତ ମାସ ୧୯ ତାରିଖରୁ ଇସ୍ରାଏଲ୍‌ରେ ଦେଶବାସୀଙ୍କ ଟିକାକରଣ ଆରମ୍ଭ ହୋଇଛି। ଗତ ମାସ ୯ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍‌ସ ଚୀନୀ କମ୍ପାନି ସିନୋଫାର୍ମ ଦ୍ବାରା ବିକଶିତ ଟିକାକୁ ଅନୁମତି ଦେବା ସହ ଦେଶରେ ଗତ ଡିସେମ୍ବର ୧୪ ତାରିଖରୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ରାଜଧାନୀ ଆବୁ ଧାବିରୁ ଆରମ୍ଭ ହୋଇଛି। ସେହିଭଳି ବ୍ରିଟେନ୍‌ ଏବଂ ଆମେରିକାରେ ମଧ୍ୟ ଏବେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି।
୭୫ ପ୍ରତିଶତ ଏମ୍‌ପି, ମନ୍ତ୍ରୀ ଟିକାକରଣରେ ଅଗ୍ରାଧିକାର ପାଇଁ ଯୋଗ୍ୟ
ନୂଆଦିଲ୍ଲୀ, ୧୪/୧: ଦେଶରେ ବୟସ ଦୃଷ୍ଟିରୁ ୭୫ ପ୍ରତିଶତରୁ ଅଧିକ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ଏମପି ଏବଂ ମୁଖ୍ୟମନ୍ତ୍ରୀ ଟିକାକରଣର ଅଗ୍ରାଧିକାର ବର୍ଗରେ ଆସୁଥିବା ଏକ ଆକଳନରୁ ଜଣାପଡ଼ିଛି। ଲୋକସଭାର ୭୨ ପ୍ରତିଶତ ଅର୍ଥାତ୍ ୩୮୯ ଜଣ ଏବଂ ରାଜ୍ୟସଭାର ୮୦ ପ୍ରତିଶତରୁ ଅଧିକ ଅର୍ଥାତ୍ ୨୦୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ। ସେହିଭଳି ମୋଦୀ ସରକାରଙ୍କ ୨୧ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ସ୍ମୃତି ଇରାନୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କର ବୟସ ୫୦ରୁ ଅଧିକ। ଦେଶର ୨୮ଟି କେନ୍ଦ୍ର ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୩ ଜଣଙ୍କର ବୟସ ୫୦ ବର୍ଷରୁ ଅଧିକ।

ସମ୍ବନ୍ଧିତ ଖବର