ନୂଆଦିଲ୍ଲୀ: ଓଡିଶାର ଗ୍ରାମୀଣ ହସ୍ତଶିଳ୍ପୀ ଓ ବୟନଶିଳ୍ପୀମାନଙ୍କୁ ବିଶ୍ୱବଜାର ସୁବିଧା ଉପଲବ୍ଧ କରି ସେମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା, ସେମାନଙ୍କ ଜୀବନଜୀବିକା ଗୁଣବତ୍ତାରେ ଉନ୍ନତି ଆଣିବା ଓ ସେମାନଙ୍କ ଅଭିନବ ଦକ୍ଷତାକୁ ବିଶ୍ୱ ପରିଚୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍ମାସ ଗତ ୧୪ ତାରିଖ ଠାରୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ମାଧ୍ୟମରେ ଅଂଶ ଗ୍ରହଣ କରିଛି।
ପାଭିଲିୟନର ୧ ନମ୍ବର ଷ୍ଟଲରେ ନୂଆପଡାର ମା’ବୈଭବଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମୟୂରଭଞ୍ଜର ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କାଠ କାରୁକାର୍ଯ୍ୟ ଓ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏବଂ ୨ ନମ୍ବର ଷ୍ଟଲରେ କୋରାପୁଟର ଲେମନ ଗ୍ରାସ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଲେମନ ଗ୍ରାସରୁ ପ୍ରସ୍ତୁତ ବିଭିନ୍ନ ଉପକାରୀ ଦ୍ରବ୍ୟ ଓ ନବରଙ୍ଗପୁରର ନବରଙ୍ଗୀ ଫାର୍ମ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କୃଷି ଉପକରଣ ମିଳୁଛି। ସେହିପରି ୩ ନମ୍ବର ଷ୍ଟଲରେ ବାଲେଶ୍ୱରର ବାବା ପଞ୍ଚଲିଙ୍ଗେଶ୍ୱର ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଓଡିଶାର ଟେରାକୋଟା ଗୃହସଜ୍ଜା ସାମଗ୍ରୀ ଓ ଗଞ୍ଜାମର ଅନନ୍ତ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଆଚାର, ପାମ୍ପଡ ଆଦି ଖାଦ୍ୟ ସାମଗ୍ରୀ ମିଳୁଛି। ଚାରି ନମ୍ବର ଷ୍ଟଲରେ ଯାଜପୁରର ଜୟ ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଟସରରୁ ପ୍ରସ୍ତୁତ ଶାଢି ଓ ଅନ୍ୟାନ୍ୟ ବସ୍ତ୍ର ଓ କୋଟପାଡର ସନ୍ଥକବି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜି.ଆଇ. ଟ୍ୟାଗ କୋଟପାଡ ଶାଢି ମିଳୁଛି । ଅନୁରୂପ ଭାବେ, ପାଭିଲିୟନର ମଧ୍ୟଭାଗରେ ନିର୍ମିତ ବୋଇତର ଡେକ ଉପରେ କେଉଁଝରରୁ ଆସିଥିବା ଜ୍ୟୋତି ଉତ୍ପାଦକ ଗୋଷ୍ଠୀ ବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ଗୃହସଜ୍ଜା ସାମଗ୍ରୀର ନିର୍ମାଣ ଶୈଳୀ ପ୍ରଦର୍ଶନ କରି ପ୍ରଶଂସିତ ହେଉଛନ୍ତି। ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଓର୍ମାସ୍ର ୪ଟି ଷ୍ଟଲରେ ୧୦ ଲକ୍ଷ ୫୩ ହଜାର ୯୬୦ ଟଙ୍କାର ବ୍ୟବସାୟ ହୋଇଛି।